ଜାହାଜକୁ ଗିରଫ ନିର୍ଦ୍ଦେଶ, ବାଂଲାଦେଶରୁ ପାରାଦୀପ ଆସିଛି ଏମଭି ୱାଡି ଆଲବୋସ୍ତାନ

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ।

Paradip Port

ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଏଥିପାଇଁ କୁଜଙ୍ଗ ସବଜଜଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି । ହାଇକୋର୍ଟଙ୍କ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ । ଏମଭି ୱାଡି ଆଲବୋସ୍ତାନ ନାମକ ଇଜିପ୍ଟ ଫ୍ଲାଗସିପର ଏହି ଜାହାଜ ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା । 

ସେବେଠାରୁ ପୋର୍ଟ ଆଙ୍କରେଜରେ ଅଟକି ରହିଛି । ବାଂଲାଦେଶରୁ ଆସିଥିବା ଏହି ଜାହାଜ ପାରାଦୀପରୁ ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ନେଇ ଚୀନ ଯାଇଥାନ୍ତା । ମାତ୍ର ଜର୍ମାନୀର ଏକ କମ୍ପାନୀ ଜାହାଜ ମାଲିକଙ୍କ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଦାବି କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଲୋ ସଲଫର ମେରାଇନ ଗ୍ୟାସ ଅଏଲ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ଦିନ ତଳେ ଚୀନର ଏକ ଜାହାଜକୁ ପାରାଦୀପରେ ଆରେଷ୍ଟ କରାଯାଇଥିଲା ।