Utkal University
ଅଣଛାତ୍ରଙ୍କ ଚାପରେ ଚେପା ହେଲେଣି କି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ? ହଷ୍ଟେଲ ଖାଲି କରିବାକୁ ନୋଟିସ୍, କିନ୍ତୁ ଏଯାଏଁ ହୋଇନି ଆକ୍ସନ। ତେବେ କାହିଁକି ଏଭଳି ଅସମ୍ଭବ ନୀରବତା ? ଗତ ୧ ତାରିଖରେ ପିଜି ହଷ୍ଟେଲ ୱାର୍ଡେନ ଜାରି କରିଥିଲେ ନିର୍ଦ୍ଦେଶନାମା। ଯେଉଁଥିରେ ଚଳିତ ମାସ ୪ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟର ୧, ୨ ଓ ୩ ନମ୍ବର ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ଛାଡ଼ିବା ପାଇଁ ନୋଟିସରେ ଦର୍ଶାଯାଇଥିଲା। ଅର୍ଥାତ ଆସନ୍ତାକାଲି କଣ୍ଟ ପୂରୁଛି। ହେଲେ ତା’ଆଗରୁ ଗତରାତିରେ ଅଣଛାତ୍ରଙ୍କ ହଙ୍ଗାମା। ଗୋପବନ୍ଧୁ ଛାତ୍ରାବାସକୁ ଅଣଛାତ୍ରଙ୍କୁ ଚିହ୍ନଟ ପାଇଁ ଯାଇଥିବା ୱାର୍ଡେନଙ୍କୁ ତାଲା ପକାଇଦେଲେ କିଛି ଛାତ୍ର। କେବଳ ସେତିକି ନୁହେଁ କୁଳପତିଙ୍କ ବାସଭବନ ବି ଘେରାଉ କରିଥିଲେ।
ସେପଟେ କୁଳପତି, ଏପଟେ ହଙ୍ଗାମା। ଛାତ୍ରଙ୍କୁ ଢାଲ କରି କିଛି ଅଣଛାତ୍ର ଏଭଳି ଉଦ୍ୟମ କରିଥିଲେ। ଆଉ ଅଣଛାତ୍ରଙ୍କ ସ୍ୱରରେ ପ୍ରଥମେ କ୍ୟାମ୍ପସରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ହଟାଯାଉ ବୋଲି ଦାବି କରିଥିଲେ। ଶେଷରେ ପୋଲିସ ପହଞ୍ଚି ୱାର୍ଡେନଙ୍କୁ ଉଦ୍ଧାର କରିଥିଲା। ଏହି ହାଇଡ୍ରାମା ପରେ ଆଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖାଁ ଖାଁ। କୁଳପତି ଦିଲ୍ଲୀ ଯାଇଥିବାବେଳେ ନୋଟିସ ଜାରିକରିଥିବା ୱାର୍ଡେନଙ୍କ ଦର୍ଶନ ମିଳୁନି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ର ସଂଗଠନ। ସେପଟେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଯିଏ ବି ହୁଅନ୍ତୁ, ଯଦି ଉତ୍କଳ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ନୁହଁନ୍ତି, ତେବେ ତାଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତି ବାସିନ୍ଦା ହୋଇଥିଲେ ବି ନିୟମ ସମାନ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।
ଅଗଷ୍ଟ ୯ ତାରିଖରେ ଜଣେ ପୂର୍ବତନ ଛାତ୍ରନେତାଙ୍କ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁପରେ ଅଶାନ୍ତ ହୋଇପଡିଥିଲା କ୍ୟାମ୍ପସ। ବର୍ଷ ବର୍ଷ ଧରି ଅଣଛାତ୍ର, ଛାତ୍ରନେତାଙ୍କ କବଜାରେ ଥିବା ବାଣୀବିହାର କ୍ୟାମ୍ପସରେ ସୁସ୍ଥ ବାତାବରଣ ପାଇଁ ପ୍ରୟାସ କରିଥିଲେ କର୍ତ୍ତୃପକ୍ଷ। ଏପରିକି ହଷ୍ଟେଲରେ ନିଶା କାରବାରର ପ୍ରମାଣ ପାଇ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ। ଏସବୁ ସତ୍ତ୍ୱେ ଉତ୍କଳ ବିଶ୍ବବିଦ୍ୟାଳୟ କାହିଁକି ଅଣଛାତ୍ରଙ୍କ କବଜାରୁ ମୁକୁଳିପାରୁନି ? ଅଣଛାତ୍ରଙ୍କୁ ହଷ୍ଟେଲ ଗୁଡ଼ିକରୁ ବିଦା କରିବା ପାଇଁ ପ୍ରଥମେ ନୋଟିସ୍ ଆଉ ତା’ପରେ ଉତ୍ତେଜନା ଭିତରେ ଜିରୋ ଆକ୍ସନ। ଏହାପଛର ରହସ୍ୟ କ’ଣ ? ନୋଟିସ୍ ଅନୁଯାୟୀ, ଆସନ୍ତାକାଲି ସୁଦ୍ଧା କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରାଯାଇପାରିବ ତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756912472.jpg)