କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ?

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ?

Bhattarika Temple

ସେଦିନ ଭଗବାନ ପର୍ଶୁରାମ ଏଇ ରତ୍ନଗିରୀ ପର୍ବତକୁ ଆସିଥିଲେ । ମାତୃହତ୍ୟା ପାଇଁ ହାତରେ ଲାଗିଥିବା ପରସୁ ଆପେ ଆପେ ଖସିପଡିଲା । ଏ ସ୍ଥାନ ଯେ, ଦିବ୍ୟ ସେ କଥା ହୃଦୟଙ୍ଗମ କଲେ ଭଗବାନ ପର୍ଶୁରାମ ଆଉ ତା ପରେ ଶର ମୂନରେ ଆଙ୍କିଦେଲେ ମା’ଙ୍କ ପ୍ରତିମା। ଯାହାଙ୍କୁ ଆଜି ଆମେ ମା’ ଭଟ୍ଟାରିକା ଭାବେ ପୂଜା କରୁଛେ । ପୁରାଣ ଅନୁସାରେ ମାଙ୍କ ଆବିର୍ଭାବ ତ୍ରେତୟା ଯୁଗରେ ହୋଇଥିଲା ।

ଚାଲିଛି ନବରାତ୍ର ଉପାସନା । ପୀଠ ପୀଠରେ ଠାକୁରାଣୀଙ୍କ ପୂଜା ହେଉଛି । ଆଉ ଏଠାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ଭଟ୍ଟାରିକା । ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନରେ କମ୍ପୁଛି ପ୍ରତ୍ୟକ୍ଷ ଠାକୁରାଣୀଙ୍କ ପୀଠ । ଚାଲିଛି ମାଆଙ୍କ ଷୋଳ ଦିନାତ୍ମକ ଶାରଦୀୟ ପୂଜା । କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଶଶାଙ୍ଗ ଗ୍ରାମରେ ମହାନଦୀ କୂଳେ ମାଆ ଭଟ୍ଟାରିକାଙ୍କ ଶକ୍ତି ପୀଠ । ଏହାକୁ ପର୍ଶୁରାମ ପୀଠ ଭାବେ ମଧ୍ୟ ବିବେଚନା କରାଯାଏ । ବିଧି ଅନୁଯାୟୀ ଆଶ୍ୱିନ ମାସ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଙ୍କର ପୂଜା ଅନୁଷ୍ଠିତ ହୁଏ ।

ମୂଳାଷ୍ଟମୀଠାରୁ ମାଆଙ୍କର ଷୋଡଶ ଉପଚାରରେ ଦଶହରା ପୂଜାର ଶୁଭାରମ୍ଭ ହୋଇଥାଏ । ମୂଳାଷ୍ଟମୀ ଦିନ ଶଶାଙ୍ଗ ଗ୍ରାମର ମାଳି ସାହିରେ ଥିବା ମାଆଙ୍କର ଆୟୁଧ ବିରାଟ ଶୋଭାଯାତ୍ରା ସହ ମୁଖ୍ୟ ମନ୍ଦିରକୁ ଆସିଥାଏ । ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା’ ଭଟ୍ଟାରିକା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି ।

ମାଆଙ୍କ ଷୋଡ଼ଶ ଉପଚାର ସମୟରେ ସମସ୍ତ ସୁନା ଓ ରୁପା ଅଳଙ୍କାର ସବୁ ସ୍ଥାନୀୟ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଏ । ମାଆ ପାଦରେ ନୂପୁର, କଟିରେ କିଙ୍କିଣୀ, ବାମ କରେ ଜ୍ଞାନ ପଦ୍ମ, ମସ୍ତକେ ଅର୍ଦ୍ଧ ଚନ୍ଦ୍ର ଓ କର୍ଣ୍ଣରେ କୁଣ୍ଡଳ ଧାରଣ କରି ବରଦ ମୁଦ୍ରାରେ ଅଛନ୍ତି । ମା’ଙ୍କୁ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୁଏ । ତେଣୁ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ।

ଓଡ଼ିଶାର ସବୁ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ । ଓଡ଼ିଶା ସରକାରଙ୍କ ତରଫରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ରୂପେ ଘୋଷଣା କରାଯାଇ ଏହାର ବହୁତ ଉନ୍ନତି କରାଯାଇଛି। ଏବଂ ଆଗକୁ ମଧ୍ୟ ଆହୁରି କରାଯିବ ବୋଲି ଆଶା ରହିଛି ।