କୋରାପୁଟର ଟ୍ରୀ-ମ୍ୟାନ୍‌ କାହ୍ନୁ ସାର, ୧୦ ବର୍ଷରେ ଲଗାଇଲେଣି ୫ ହଜାରରୁ ଅଧିକ ଗଛ

କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍‌ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି ।

Tree Man

ପରିବେଶ ସୁରକ୍ଷାକୁ ନେଇ ଏବେ ସବୁଠି ଚିନ୍ତା । ଗ୍ଲୋବାଲ ୱାମିଂକୁ ନେଇ ନାନାଦି ସଚେତନତା ପରେ ବି କୋଉଠି ନା କୋଉଁଠି ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯାହାର ପରିଣାମ ଆମେ ଭୋଗୁଛେ । ତେଣୁ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ସହ ଏନେଇ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବାର ଆବଶ୍ୟକତା ରହିଛି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଭାଲୁଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କାହ୍ନୁଚରଣ ବେହେରା କିଛି ସେମିତି ହିଁ କରୁଛନ୍ତି । ଯେଉଁଥିପାଇଁ ସେ ଟ୍ରି-ମ୍ୟାନ ଭାବେ ପଚିଚୟ ସୃଷ୍ଟି କରିପାରିଛନ୍ତି ।

କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍‌ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି । ଯେଉଁଠି ବୃକ୍ଷରୋପଣ ହୋଇପାରିବନି ସେଠାରେ ମଞ୍ଜିରେ ବିହନ ପ୍ରସ୍ତୁତ କରି ବିଭିନ୍ନ କିଷମର ଗୁଲା ଗୁଲା କରି ଜଙ୍ଗଲରେ ପକେଇଥାନ୍ତି । ଦଶ ବର୍ଷ ମଧ୍ୟରେ କାହ୍ନୁ ପ୍ରାୟ ୫ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। 

ସକାଳୁ ସକାଳୁ କାହ୍ନୁ ନିଜର ସ୍କୁଟିରେ “ଗୋଟିଏ ଗଛ, ଗୋଟିଏ ଜୀବନ” ନାରା ନେଇ ଗାଁକୁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ଗାଁରେ ପହଞ୍ଚି ଲୋକଙ୍କୁ ଏକାଠି କରି ବିଭିନ୍ନ କିଷମର ଗଛର ଚାରା ଲଗେଇବା ଓ ତାର ସୁରକ୍ଷା ଦିଗରେ ଦୃଷ୍ଟି ଦେବା ପାଇଁ ସଚେତନତା କରୁଛନ୍ତି । ଗାଁ ଲୋକଙ୍କୁ ଗଛର ଚାରା ଉପହାର ଦେଇ ବୃକ୍ଷ ରୋପଣ ମଧ୍ୟ କରନ୍ତି କାହ୍ନୁ। ଦେବଦାରୁ, ପିସ୍ତା, ଅଁଳା, ବାହାଡା ଏମିତି ଅନେକ ବୃକ୍ଷ ଚାରା ବଣ୍ଟନ ସହ ସେ ବୃକ୍ଷରୋପଣ କରିଛନ୍ତି । ଗଛ କାଟିବାରୁ ନିବୃତ୍ତ ରହିବା ପାଇଁ ଗଛରେ ନାଲି ସାଲୁକନା ମଧ୍ୟ ବାନ୍ଧିଥାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସାର ପାତ୍ର ସାଜିଛନ୍ତି କାହ୍ନୁ ସାର ।