Tigress Zeenat: ଶିମିଳିପାଳରେ ଜିନ୍ନତ୍... କେତେବେଳେ ବୁଲୁଛି, କେତେବେଳେ ପାଣିରେ ପଶୁଛି

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ।

Tigress Zeenat

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ । କେତେବେଳେ ଦୌଡ଼ାଦୌଡ଼ି କରୁଛି ତ ଆଉ କେତେବେଳେ ପାଣିରେ ପଶୁଛି ମହାବଳ ବାଘୁଣୀ । ଗତରାତିରେ ଆଲିପୁର ଚିଡ଼ିଆଖାନାରୁ ଫେରିବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନର ଏକ ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି, ଜଳକୁଣ୍ଡରେ ପଶି କେତେବେଳେ ପାଣି ପିଉଛି, ତ କେତେବେଳେ ଗାଧଉଛି ଜିନ୍ନତ୍‌ । ଜିନ୍ନତକୁ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ବନ ବିଭାଗ ସବୁ ପ୍ରକାରର ଉଦ୍ୟମ ଆରମ୍ଭ କରିଛି । ବାରିପଦା RCCF କହିଛନ୍ତି, ଜିନ୍ନତ୍ ଏବେ ସୁସ୍ଥ ଅଛି ଏବଂ ଶାନ୍ତ ରହିଛି । ତାକୁ ଗତକାଲି ସକାଳ ୮ଟା ବେଳେ ଜେନାବିଲ ରେଞ୍ଜର ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି ।

ଶିମିଳିପାଳ ସାଉଥ୍ ଡିଭିଜନରେ ଯମୁନା ପାଇଁ ହୋଇଥିବା ଏହି ଏନକ୍ଲୋଜରରେ କିଛି ଦିନ ଜିନ୍ନତକୁ ରଖାଯିବ । ଚବିଶ ଘଣ୍ଟା ତାକୁ ନଜରରେ ରଖାଯିବ । ଜିନ୍ନତ ପାଇଁ ଏକ ସ୍ୱତନ୍ତ୍ର ଷ୍ଟିୟରିଂ କମିଟି ଗଠନ କରାଯାଇଛି । କମିଟି ନିର୍ଣ୍ଣୟ କଲେ ତାକୁ ପୁଣି କୋର୍ ଏରିଆରେ ଛଡ଼ା ଯିବ ବୋଲି କହିଛନ୍ତି ବାରିପଦା RCCF ।

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ଶ୍ରୀଜିଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼

କିଛି ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ, ଓଡ଼ିଶା ନ ପଠାଇ ବାଘୁଣୀକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ । କେଉଁଠି ରହୁଥିଲା ସମସ୍ୟା? ଏହି ମରାଠା ବାଘୁଣୀକୁ ଓଡ଼ିଶା ଆସିବାରେ ପ୍ରତିବନ୍ଧକ ସାଜୁନଥିଲେ ତ’ ପଶ୍ଚିମବଙ୍ଗ ସରକାର?

ଜାଣିଶୁଣି ବାଘୁଣୀକୁ ନେଇ ରାଜନୀତି କରୁଥିଲେ କି ମମତା ଦିଦି? NTCA ଏସଓପି ଖୋଲାଖୋଲି ଉଲ୍ଲଂଘନ କରୁନାହାନ୍ତି ତ ମମତା? ପ୍ରଥମେ ଆଳୁ ଆଉ ଏବେ ମହାବଳକୁ ଓଡ଼ିଶା ନଛାଡ଼ିବା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ସେପଟେ ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- NTCA ।

ଏନେଇ NTCA ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା । ଏଥିସହ SOP ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ NTCA । ସୂଚନା ଅନୁସାରେ ଶିମିଳିପାଳରେ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା-ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିଲା ବାଘୁଣୀ ଜିନ୍ନତ୍ ।

ହେଲେ ସେ ପଶ୍ଚିମବଙ୍ଗ ପଳାଇ ସେଠାରେ ଟ୍ରାଙ୍କୁଲାଇଜ ହେବାପରେ ଆଲିପୁର ଜୁ’ ପାଲଟିଥିଲା ତା’ ନୂଆ ଠିକଣା । ବିଶେଷଜ୍ଞଙ୍କ କହିବା କଥା, ବନ୍ୟପ୍ରାଣୀ ଆଇନ ଅନୁସାରେ କୌଣସି ବନ୍ୟଜନ୍ତୁକୁ ଚିଡ଼ିଆଖାନାରେ ରଖାଯାଇପାରିବ ନାହିଁ । ଜିନ୍ନତ ଟ୍ରାଙ୍କୁଲାଇଜ ହେବା ପରେ ତା’କୁ ନିକଟସ୍ଥ କୌଣସି ପଶୁ ଚିକିତ୍ସା କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିଥାନ୍ତା । ୨୦୦ କିଲୋମିଟର ଦୂର ଆଲିପୁର ଜୁ’ ନେବାର ଆବଶ୍ୟକତା ନ ଥିଲା ବୋଲି ବିଶେଷଜ୍ଞ କହିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ, ଶ୍ରୀଜିଉଙ୍କୁ ଦର୍ଶନ କାର୍ଯ୍ୟକ୍ରମ