• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏ ଘୁଡ଼ିକି ଦିନେ ବେସ୍ ସୁନ୍ଦର ବାଜୁଥିଲା। ବଳବୟସ ଥିଲା। ମନରେ ଜୋସ୍ ଥିଲା, ୨ କୋଶ ବାଟ ଚାଲିଲେ ବି ପାଦ ଥକି ପଡ଼ୁ ନ ଥିଲା କି ପାଞ୍ଚ ଗାଁ ବୁଲି ଆସିଲେ ଦେହ ଦରଜ ହେଉ ନ ଥିଲା। ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ। ଏହାକୁ ବଜେଇ ବଜେଇ ଜୀବନକୁ ବିତେଇ ଦେଇଥିବା ସେହି ମଉସା ଜଣକ କିନ୍ତୁ ଆଜି ବେସାହାରା।

ଆଖପାଖରେ ଘର ନାହିଁ କି ଦ୍ୱାର ନାହିଁ। ନିଛାଟିଆ ଜଙ୍ଗଲରେ ଗଛମାନ ଛିଡା ହୋଇଛନ୍ତି କେଉଁକାଳୁ। ସେଇ ଖୋଳା ଆକାଶ ତଲେ ତାଳ ବରଡା ଢାଙ୍କି ଜୀବନକୁ ଅତି ଦହଗଞ୍ଜ କରି ଚଳୁଥିବା ଏ ପାରମ୍ପରିକ ଲୋକବାଦ୍ୟ ଓ ଲୋକଗୀତର କଳାକାର ଜଣକ ହେଉଛନ୍ତି ୭୦ ବର୍ଷର ଦିନବନ୍ଧୁ ପଧାନ। ଆଜି ଆଉ ବଳ ବୟସ ନାହିଁ, ଆଖିକୁ ଭଲ ଦିଶୁନି କି କାନକୁ ଭଲ ସୁଭୁନି କିନ୍ତୁ ଘୁଡୁକି ଆଉ କେନ୍ଦେରା ବଜାଇବାରେ ତାଳ ଜମା ବେତାଳ ହେଉନି। ହେଲେ ତାଙ୍କ ଜୀବନର ଥଳ କୂଳ କିଛି ନାହିଁ। ଏଇଠି ପାଗେଳୀ ପ୍ରାୟ ସ୍ତ୍ରୀ ଉ ଅଳ୍ପ ବୟସର ପୁଅ ଝିଅ ୨ଜଣକୁ ନେଇ ଅସହାୟ ଅବସ୍ଥାରେ ଜୀବନ ବଞ୍ଚୁଛନ୍ତି ଦିନବନ୍ଧୁ।

ଯେଉଁଠି ଘର ଦ୍ୱାର କିଛି ନାହିଁ ସେଠି ତେଲ ଲୁଣ ସଂସାର ବା ଆଉ କଣ। ଆହାର କହିଲେ ପୁଞ୍ଜିଏ ପଖାଳ, ଲଗେଇ ଖାଇବାକୁ ଲୁଣ ଆମ୍ବୁଲ ଛଡା ଆଉ କିଛି ନାହିଁ। ଜୀବନଟା ସାରା କେନ୍ଦେରା ବଜାଇ ଅନ୍ୟମାନଙ୍କୁ ଗୀତ ସିନା ଶୁଣାଇଲେ ହେଲେ ନିଜ ଜୀବନଟା ଏଠି ଏମିତି କାନ୍ଦୁଛି। ଆଗଭଳି ଏବେ ଆଉ ସେ ନିଜେ ସେତେ ଯାଇ ପାରୁନାହାନ୍ତି। ପୁଅଝିଅ ଦୁଇଜଣ ଗାଁ ଗାଁ ଘର ଘର ବୁଲି ମୁଠେ ଚାଉଳ ମାଗୁଛନ୍ତି। ପୁଅଟି ଆଧୁନିକ ଗୀତରେ ବି ଭଲ ଘୁଡୁକି ବଜାଉଛି।

ଜୀବନଟା ଏମାନଙ୍କ ପାଇଁ ଏମିତି ଯାଜାବର ହୋଇ ରହିଗଲା। ଥଳକୂଳ କିଛି ନାହିଁ। ଆଜି ଏଠି ତ କାଲି ସେଠି। କିଛି ବର୍ଷ ହେଲା ଏମାନେ ଛପର ଉପରେ ପାଲ ପକାଇ ରହୁଛନ୍ତି। ସିଧା ଛିଡ଼ାହେଲେ ମୁଣ୍ତ ବାଜୁଛି। ଥରେ ଭାବନ୍ତୁ ଏ ତାଳୁଫଟା ଖରାରେ ଏମାନେ ରହୁଥିବେ କେମିତି। ଏ କଣ ଜଣେ କଲାକାର ନୁହେଁ ନାଁ ୟାଙ୍କ ଘୁଡୁକି କେନ୍ଦେରାର କିଛି ମୂଲ୍ୟ ନାହିଁ। ଜୀବନ ବ୍ୟାପୀ ସେ ସିନା ବଜେଇଲେ ହେଲେ ତାଙ୍କ କେନ୍ଦେରା ସରକାରଙ୍କ କାନରେ ପଡିଲାନି। ତାଙ୍କର ଖାତା ଖତିଆନ୍ କିଛି ନାହିଁ। ଭୋଟର କାର୍ଡ ନାହିଁ, ଆଧାର କାର୍ଡ ନାହିଁ। ସରକାରଙ୍କ ଆଖିରେ ଯାହାର ପରିଚୟ ନାହିଁ ତା ପାଇଁ ଆବାସ କାହିଁ ନା ମୁଠେ ଚାଉଳ କାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now