ଆଜିଠାରୁ ବିଧାନସଭାର ଦ୍ୱିତୀୟ ଅଧିବେଶନ, ସରକାର-ବିରୋଧୀଙ୍କୁ ନେଇ କମ୍ପିବ ଗୃହ

ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ । ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।

Odisha Assembly

ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ । ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।

ଅନ୍ୟପଟେ ମୋହନ ସରକାରର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବଖାଣିବ ଶାସକ ଦଳ । ଆସନ୍ତାକାଲିଠୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନ କାଳ ରହିଛି।

ଅଧିକ ପଢ଼ନ୍ତୁ: ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ !

ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶୋକ ପ୍ରସ୍ତାବ ଆଗତ ହେବ । ଏହା ସହ ବିଭିନ୍ନ କମିଟି ରିପୋର୍ଟ ଓ କାଗଜ ଉପସ୍ଥାପନ ହେବ । ସେପ୍ଟେମ୍ବର ୧୦ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ସେପ୍ଟେମ୍ବର ୧୦ରେ ୨୦୨୪-୨୫ ମସିହା ପାଇଁ ବଜେଟ୍ ଉପରେ ବିନିଯୋଗ ବିଲ୍ ଆସିବ । ସେପ୍ଟେମ୍ବର ୧୨ ଓ ୧୩ରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି ।

ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବା ବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ୱାଭାବିକ ହେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିପାରେ । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ ।