ଦୋହଲି ଯାଇଥିଲା ରାଜ୍ୟ ରାଜନୀତି, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା ।

Swami Laxmanananda Saraswati

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା । ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।

ଏହି ଘଟଣା ସେତେବେଳେ ରାଜ୍ୟ ରାଜନୈତିକ ପାଣିପାଗକୁ ଦୋହଲାଇ ଦେଇଥିଲା । ଜନ୍ମାଷ୍ଟମୀ ପାଳନ ସମୟରେ ସ୍ୱାମୀଜୀଙ୍କ ସହ ଆଶ୍ରମର ୪ ଜଣ ଅନ୍ତେବାସୀ ଦୁର୍ବୁତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ଆଉ ଆଜି ଜନ୍ମାଷ୍ଟମୀ ତିଥିରେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମରେ ଜନ୍ମାଷ୍ଟମୀ ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

ଏହି ଅବସରରେ ଆଜି କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋ-ପୂଜା, ବଳିଦାନ ଭୂମିପୂଜା, ଯଜ୍ଞ ଓ ପୁର୍ଣ୍ଣାହୁତି ଆଦି ଅନୁଷ୍ଠିତ ହେବ । ଏହି ଉତ୍ସବରେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରଦ୍ଧାଞ୍ଜଳି ସଭାରେ ହଜାର ହଜାର ଅନୁଗାମୀ ଯୋଗ ଦେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଓ କନ୍ଧମାଳ SP ଶୁଭେନ୍ଦୁ ପାତ୍ର ପ୍ରମୁଖ ଆଶ୍ରମକୁ ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ସେପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ ରାଜଧାନୀରେ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରୁ ମାଷ୍ଟରକ୍ୟାଣ୍ଟିନ, ଅଶୋକ ନଗର ଓ ରାଜମହଲ ହୋଇ ପୁଣି ପ୍ରଦର୍ଶନୀ ପଡ଼ିଆ ଯାଏଁ ଗଣଦୌଡ଼ ଆୟୋଜିତ ହୋଇଛି ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିଚାରଣ ନିମନ୍ତେ ଗଠିତ ସ୍ମୃତି ନ୍ୟାସ ପକ୍ଷରୁ ଏହି ଗଣଦୌଡ଼ର ଆୟୋଜନ ହୋଇଛି । ଏଥିରେ ୫ ହଜାରରୁ ଅଧିକ ଯୁବକଯୁବତୀ ଭାଗ ନେଉଛନ୍ତି । ସୂଚନାଯୋଗ୍ୟଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।