Medical Admission: ସଂଘର୍ଷର ଅନ୍ୟ ନାଁ ସତ୍ୟ ଓରାମ, ବିନା କୋଚିଂରେ ମେଡିକାଲ୍ ସଫଳତା

ପାଠ ପଢ଼ିବାକୁ ବାଧକ ହୋଇପାରେ ଅର୍ଥ ନା ବ୍ୟବସ୍ଥା । ଯଦି, ଇଚ୍ଛା ଶକ୍ତି ରହିଛି, ତାହେଲେ କିଛି ପ୍ରତିବନ୍ଧକ ହୋଇପାରିବନି ।

Medical Admission

ପାଠ ପଢ଼ିବାକୁ ବାଧକ ହେଇପାରେ ଅର୍ଥ ନା ବ୍ୟବସ୍ଥା । ଯଦି, ଇଚ୍ଛା ଶକ୍ତି ରହିଛି, ତାହେଲେ କିଛି ପ୍ରତିବନ୍ଧକ ହେଇପାରିବନି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରୁ ଏମିତି ଏକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଯେଉଁଠି ଘରୁ ବାହାରି, ଗାଁରୁ ପାଦ କାଢ଼ି ବିନା କୋଚିଂରେ ଜଣେ ଆଦିବାସୀ ଛାତ୍ର ସରକାରୀ ମେଡିକାଲ କଲେଜରେ କରିଛନ୍ତି ଆଡମିଶନ୍ । ହେଲେ ସମସ୍ୟା ଓ ସଂଘର୍ଷ ଏତିକିରେ ଯେମିତି ସରିବାର ନାଁ ହିଁ ନେଉନି ।

ପାହାଡ଼ ଜଙ୍ଗଲ ଘେରା ଗାଁକୁ ପହଞ୍ଚିବାକୁ ହେଲେ ମାଟି ରାସ୍ତା ଦେଇ ଯିବାକୁ ପଡ଼େ । ଆଉ ପାଦ ଯେଉଁଠି ଅଟକିବ ସାମ୍ନାରେ ଟାଇଲ୍, ଆଜବେଷ୍ଟ୍ସ ଛାତ । ଘର ଭିତରେ ଡାକ୍ତର ହେବା ସ୍ୱପ୍ନ ଦେଖୁଥିଲା ଦୁଇ ଆଖି । ସୁନ୍ଦରଗଡ଼ ବିଶ୍ରା ବ୍ଲକ ଓଡୁଶୁ ପଞ୍ଚାୟତ ଜେଟା ଟୋଲା ଗାଁ । ଆଉ ଏହି ପରିବାରର ସାନ ପୁଅ ସତ୍ୟ ଓରାମ୍, ଏବେ ଡାକ୍ତରୀ ପାଠ ପଢ଼ିବେ ।

ପୂରା ଗାଁରେ ଓ ପଞ୍ଚାୟତରେ ପ୍ରଥମ ଥର କେହି ଡାକ୍ତରୀ ପଢ଼ିବାକୁ ଯାଉଛି । ହେଲେ ଏ ଦଲକାଏ ଖୁସି ପଛରେ କେତେ ଯେ କଷ୍ଟ ଲୁଚି ରହିଛି ତାହା ବଖାଣିବା ବୋଧେ ଏତେ ସହଜ ନୁହେଁ । ସତ୍ୟଙ୍କ ପାଖରେ ନା ଅର୍ଥ ଥିଲା ନା ଡାକ୍ତରୀ ପାଠ ପଢ଼ିବାକୁ ସମ୍ୱଳ ଥିଲା । ଖାଲି ଥିଲା ମନରେ ସାହସ ଓ ଡାକ୍ତର ହେବାର ସ୍ୱପ୍ନ ।

ସେଥିପାଇଁ ଘରୁ ପାଦ କାଢ଼ିଲେ । ରାଉରକେଲା ଯାଇ ଘର ଭଡ଼ା ନେଇ ରହିଲେ । ଦିନ ରାତି ଏକ କରି ବିନା କୋଚିଂରେ, ପାଠ ପଢ଼ିଲେ...ହଁ ପାଖରେ ଥିଲା ଗୋଟେ କାମଚଳା ଇଣ୍ଟରନେଟ୍ ବାଲା ମୋବାଇଲ୍ । ସତ୍ୟ ଡାକ୍ତର ହେବା ସ୍ୱପ୍ନ ପଛରେ ଲୁଚି ରହିଛି ଅନେକ ଅପ୍ରିୟ ସତ । ବିଶ୍ରା ବ୍ଲକର ଏହି ଗାଁ ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଘୁରି ବୁଲୁଛି ।

ଲୋକେ ଡାକ୍ତରଖାନାକୁ ଯାଉନାହାନ୍ତି, ଗୁଣି ଗାରେଡିରେ ବିଶ୍ୱାସ ରଖିଛନ୍ତି । ଗାଁ ପିଲା ଯଦି ଡାକ୍ତର ଟିଏ ହେବ ତାହେଲେ ଅନ୍ଧ ବିଶ୍ୱାସର ଏଇ ଅନ୍ଧାର ହଟିଯିବ । ବାସ୍ ସେଇ ବିଶ୍ୱାସ ନେଇ କାନ୍ଧରେ ସବୁ ବୋଝକୁ ଧରି, ସମସ୍ତ ପ୍ରତିବନ୍ଧକକୁ ହଟାଇ ଆଗକୁ ବଢ଼ି ଚାଲିଛନ୍ତି ସତ୍ୟ । ହେଲେ ଏବେ ବି ସରିନି ସତ୍ୟଙ୍କ ସଂଘର୍ଷ ।

କଟକ ଏସସିବି ମେଡିକାଲ କଲେଜରେ ଆଡମିଶନ୍ ସିନା ସରିଲା ହେଲେ କଲେଜ୍ ଓ ହଷ୍ଟେଲ୍ ଫି’ କେମିତି ଦେବେ ତାକୁ ଭାବି ଭାବି ଘରକୁ ଆସି ଯାଇଛନ୍ତି । ସତ୍ୟଙ୍କ ଏହି ସଂଘର୍ଷରେ ସରକାରୀ ସହାୟତା ଯଦି ସାମିଲ ହୁଅନ୍ତା ତାହେଲେ ଆଦିବାସୀ ଗାଁକୁ ମିଳିଥାନ୍ତା ତା ନିଜ ଡାକ୍ତର ପୁଅ।