ଆଳୁ ଦରରେ ଲାଗିଛି ନିଆଁ, କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଟଙ୍କାରେ ହେଲାଣି ବିକ୍ରି

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ ।

Potato Price Hike

୫ ଦିନରେ ଆଳୁ ୧୦ ରୁ ୧୫ ଟଙ୍କା ମହଙ୍ଗା । କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ ଖୁଚୁରା ଦର ୫୦ ବି ଛୁଇଁଲାଣି । ଆଳୁର ଏମିତି ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । କହୁଛନ୍ତି, ଗତ ଜୁଲାଇ ୨୦ ତାରିଖରେ ଖୁଚୁରା ବଜାରରେ ଆଳୁ କିଲୋ ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ୨୧ ତାରିଖରେ ହଠାତ୍ ୪୦ ଟଙ୍କା ହୋଇଗଲା ।

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ । ଏପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ହୋଲସେଲ୍ ମାର୍କେଟରେ ପର୍ଯ୍ୟାପ୍ତ ଆଳୁ ନାହିଁ । ତେଣୁ ଉଚ୍ଚାଦରରେ କିଣିବାକୁ ପଡ଼ୁଛି । ଆଉ ଯେଉଁ ଆଳୁ ମିଳୁଛି, ଅନେକ ପଚାସଢ଼ା ଯାଉଛି। ତେଣୁ ବାଧ୍ୟହୋଇ ଅଧିକ ଦାମରେ ବିକୁଛୁ ।

ରାଜ୍ୟର ସର୍ବବୃହତ୍ ଆଳୁ ଗୋଦାମ ଭୁବନେଶ୍ବର କୁବେରପୁରୀସ୍ଥିତ ଆଳୁ ଗଦି ଓ କଟକ ଛତ୍ରବଜାରସ୍ଥିତ ଆଳୁ ଗୋଦାମ ଖାଁ ଖାଁ । ଯେଉଁ ଆଳୁ ଗୋଦାମରେ ପ୍ରତିଦିନ ୫୦ରୁ ୬୦ ଟନ୍ ଅର୍ଥାତ୍ ୧୨ଶହରୁ ୧୫ ଶହ ବସ୍ତା ଆଳୁ ରହୁଥିଲା, ସେଠି ଏବେ ୨୦ରୁ ୩୦ କ୍ବିଣ୍ଟାଲ ଆଳୁ ଅଛି । ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ପଶ୍ଚିମବଙ୍ଗ ସରକାର ଆଳୁ ଦରରେ ଅଙ୍କୁଶ ଲଗାଇଥିବାରୁ ସେଠାକାର ବ୍ୟବସାୟୀ ୪ ଦିନ ହେଲା ଧର୍ମଘଟରେ ବସିଛନ୍ତି। ତେଣୁ ରାଜ୍ୟକୁ ଆଳୁ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି।

ଏମିତିକି ଶୀତଳଭଣ୍ଡାରରେ ଥିବା ଆଳୁ ବି ସରି ଆସିଲାଣି । ତେଣୁ ଆଳୁ ଦର ବଢ଼ିବାରେ ଲାଗିଛି । ଏପଟେ ରାଜ୍ୟ ବ୍ୟବସାୟୀ ସଂଘ କହିଛି, ନବୀନ ସରକାର ସମୟରେ ରାଜ୍ୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ପୂରା ଫେଲ୍ ମାରିଛି । ବାର୍ଷିକ ରାଜ୍ୟରେ ସାଢ଼େ ୧୪ ଲକ୍ଷ ଟନ୍ ଆଳୁ ଦରକାର। ହେଲେ ଉତ୍ପାଦନ ହେଉଛି ମାତ୍ର ୮୦ରୁ ୯୦ ହଜାର ଟନ୍ । ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ସରକାର ତୁରନ୍ତ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛି ରାଜ୍ୟ ବ୍ୟବସାୟୀ ସଂଘ । ଏ ଭିତରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଧର୍ମଘଟରୁ ଓହରିଥିବାରୁ ଆଗାମୀ ଦିନରେ ରାଜ୍ୟକୁ ଆଳୁ ଯୋଗାଣ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।