ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ, ଏଯାଏଁ ଆବେଦନ କଲେଣି ୫୦ ଲକ୍ଷରୁ ଅଧିକ ମହିଳା

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

Subhadra Yojana

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ଏଯାଏଁ ୫୦ ଲକ୍ଷ ମହିଳା ସୁଭଦ୍ରା ପାଇଁ କଲେଣି ଆବଦେନ । ୧୫ ଯାଏଁ ଅର୍ଥାତ କାଲି ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି । ଏଣେ ଆସନ୍ତାକାଲି ବାହାରିବ ୧୦ ହଜାର ସୁଭଦ୍ରା ପଦଯାତ୍ରା । ବହୁ ପ୍ରତୀକ୍ଷିତ ସୁଭଦ୍ରା ପାଇଁ ବଡ଼ ପ୍ରସ୍ତୁତି । ଉଭୟ ସରକାରୀ ଏବଂ ଦଳ ସ୍ତରରେ ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ଲାଗି ବ୍ୟାପକ କାର୍ଯ୍ୟକ୍ରମ । ଆସନ୍ତାକାଲି ରାଜଧାନୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ହେବ ସୁଭଦ୍ରା ସ୍ୱାଗତ ପଦଯାତ୍ରା । ଯେଉଁଥିରେ SHG ସଦସ୍ୟାମାନେ ସାମିଲ ହେବେ । ସେହିପରି ୧୭ରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଲଞ୍ଚ୍ କରିବା ଦିନ ବି ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ଯାଏଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ଲକ୍ଷେ ମହିଳାଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିବା ବେଳେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମହିଳାଙ୍କୁ ଏକାଠି କରି LED ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ସେହିପରି ପଞ୍ଚାୟତ ସ୍ତରରେ ସୁଭଦ୍ରା ସ୍ୱାଗତ ସପ୍ତାହ ପାଳନ ହେବ । ପ୍ରତି ଅଞ୍ଚଳରେ ଜଣେ ଜଣେ ସଫଳ ମହିଳାଙ୍କୁ ବାଛି ସୁଭଦ୍ରା ଅପାର ଆଖ୍ୟା ଦିଆଯିବ ।

ଅନ୍ୟପଟେ ଆଜିଠୁ ୧୬ ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସେହିପରି ସମସ୍ତ ବିଭାଗର ଚିଠି ଏବଂ ଇ-ମେଲରେ ସୁଭଦ୍ରା ଲୋଗୋ ବ୍ୟବହାର ପାଇଁ ବି ନିର୍ଦ୍ଦେଶ ରହିଛି । ଏହାସହିତ ସବୁ ବିଭାଗର ୱେବସାଇଟ ଓ ପୋର୍ଟାଲ ଏବଂ ଆପରେ ସୁଭଦ୍ରାର ଲିଙ୍କ୍ ପ୍ରଦର୍ଶନ ପାଇଁ କୁହାଯାଇଛି।

ସେପଟେ ଗ୍ରାଉଣ୍ଡରେ ସୁଭଦ୍ରାକୁ ନେଇ ସୁପର୍ କ୍ରେଜ୍ । ଆବେଦନକାରୀଙ୍କ ମଧ୍ୟରେ ଭରପୂର ଉତ୍ସାହ । ଯଦିଓ ୧୫ ସୁଦ୍ଧା ଆବଦେନକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ, କିନ୍ତୁ ତା ପରେ ବି ଜାରି ରହିବ ଆବେଦନ ପ୍ରକ୍ରିୟା । ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ପ୍ରଥମ କିସ୍ତି ଟଙ୍କା ଦିଆଯିବ । ଦଳ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ସଫଳ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲକ ସ୍ତରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାୟକ ଏବଂ ଦଳୀୟ ନେତା ଉପସ୍ଥିତ ରହିବେ ।

ବିଜେଡିର ଲମ୍ବା ସମୟ ଧରି ଭୋଟ ବ୍ୟାଙ୍କ୍ ଥିବା SHG ଭାଙ୍ଗିବାକୁ ବ୍ରାଣ୍ଡ ସୁଭଦ୍ରା ଏବେ ବିଜେପିର ପ୍ରମୁଖ ଅସ୍ତ୍ର । ତେଣୁ ଏହାର ଜୋରସୋର ପ୍ରଚାର ପ୍ରସାର କରି ମହିଳାଙ୍କୁ ନିଜ ଆଡକୁ ଟାଣିବାକୁ ବ୍ଲୁ ପ୍ରିଣ୍ଟ ସହ ପୂରା ପ୍ରସ୍ତୁତ ବିଜେପି ସରକାର ।