ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ଚିକେନ୍ ଖାଇବା ମନା

ସଂକ୍ରମିତ ଅଞ୍ଚଳରେ ଚାଲିଛି କୁକୁଡାମରା । ଲୋକମାନଙ୍କୁ ସତର୍କ ରହିବା ପାଇଁ ଜାରି ହୋଇଛି ନିର୍ଦ୍ଦେଶାବଳୀ ।

Bird Flu

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଲୋକମାନେ ଚିକେନ ଖାଆନ୍ତୁ ନାହିଁ । ଏହି ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୁକୁଡା ଫାର୍ମର ମାଲିକ ଓ ସେଠାରେ କାମ କରୁଥିବା କର୍ମଚାରୀ ସଂକ୍ରମିତ କୁକୁଡା ବିକ୍ରି ନକରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି । ଏଥିପାଇଁ ଦିଆଯାଉଛି କ୍ଷତିପୂରଣ ରାଶି ।

ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ାଗଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସଂକ୍ରମିତ ଅଞ୍ଚଳରେ କୁକୁଡାମରା ଚାଲିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସଚେତନ ବି କରାଯାଉଛି । ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପ୍ରତିଷେଧକ ଔଷଧ ଦିଆଯାଉଛି । ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀକୁ ଛାଡିଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । ତେବେ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ପୁରୀରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାକୁ ଆଡଭାଇଜରି ଜାରି ହୋଇଛି । ତେବେ ମଣିଷ ବାର୍ଡ ଫ୍ଲୁ ଯୋଗୁଁ ସଂକ୍ରମିତ ହେଲେ, କଣ ଲକ୍ଷଣ ଦେଖାଯାଏ, ସେ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି- ରୋଗୀଙ୍କୁ ପ୍ରଥମେ ଜ୍ୱର ହେବା ସହ ତଣ୍ଟି ଦରଜ ହୁଏ । ପରେ ନିମୋନିଆ ହେବାର ଆଶଙ୍କା ବି ରହିଛି । ଏଭଳି ରୋଗୀଙ୍କୁ ଚିହ୍ନଟ ଲାଗି ଆଶା, ଏଏନ୍ଏମ୍ଙ୍କୁ ନିୟୋଜିତ କରାଯାଇଛି । ପୁରୀକୁ ଏକ ରାଜ୍ୟସ୍ତରୀୟ ଟିମ୍ ପଠାଯାଇଛି ।