ଯୋଉ ଭାଇ ହାତରେ ଦିନେ ରାକ୍ଷୀ ବାନ୍ଧିଥିଲା, ଆଜି ତା’ରି ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି

ଭାଇର ଶୁଦ୍ଧି ପାଇଁ ଭିକ ମାଗୁଛି ଭଉଣୀ । ୟା ଦୁଆରେ ତା’ ଦୁଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷା ନାହିଁ ତା’ର ।

Woman begs for money

ଭାଇର ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୁଆରେ ତା’ ଦୁଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ଶୁଦ୍ଧି ପାଇଁ ଭିକ ମାଗୁଛି ଭଉଣୀ । କ’ଣ ଆଉ କରିବ, ସେହି ଭାଇର ହାତରେ ଦିନେ ଏ ଭଉଣୀ ରାକ୍ଷୀ ବାନ୍ଧିଥିଲା । ଆଉ ଏଇ କିଛି ଦିନ ତଳେ ଟଙ୍କା ଅଭାବରୁ ଭାଇର ମୁହଁରେ ନିଆଁ ଦେବାକୁ କାଠ ଯୋଗାଡ଼ କରିନପାରି ମାଟି ଖୋଳି ପୋତି ଦେଇଛି । ତା’ରି କାମ ପାଇଁ ଏବେ କରୁଛି ଟଙ୍କା ଯୋଗାଡ଼ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶୀଳା ଗାଁର ଇଏ ହେଉଛି ଗୋଟିଏ ଭଉଣୀର ଦୁଃଖ କାହାଣୀ । ଜନ୍ମରୁ ଗରିବୀ ନିଆଁରେ ଜଳିଜଳି ଭାଇ ରମେଶ ବିନ୍ଧାଣୀ ସିନା ଆଖି ବୁଜିଦେଲା, ହେଲେ ଏ ଭଉଣୀର ପିଛାଛାଡ଼ିନି ସେ ଗରିବୀ ରାକ୍ଷସ । ତା’କୁ ଆଜି ଭାଇର ଶୁଦ୍ଧିକ୍ରିୟା ପାଇଁ ପରଦୂଆରେ ଛିଡ଼ା କରିଦେଲା । ଆଉ ସେଇଥିପାଇଁ ଗାଁରୁ ଗାଁକୁ ବୁଲି ଭିକ ମାଗୁଛନ୍ତି ଭଉଣୀ ଜୁନ ବିନ୍ଧାଣୀ । ଟଙ୍କା ଯୋଗାଡ଼ ସରିଲେ ଭାଇର କର୍ମ କରାଯିବ ।

ସ୍ୱାମୀ ପାଖରେ ନାହାନ୍ତି । ଭାଇ ସାଜିଥିଲା ଏ ଭଉଣୀର ସାହାରା । ହେଲେ ସେ ଚାଲିଯିବା ପରେ ଆଜି ଏ ଭଉଣୀ ଭିକ୍ଷା ମାଗୁଛି । ସବୁ କିଛି ତା’ ପାଇଁ ଶେଷ ହୋଇଯାଇଛି । ଖାଲି ଅଛି ଯେମିତି ଏ ଦୁଇ ଆଖିର ଅସରନ୍ତି ଲୁହ । ଏପରି ସମୟରେ ଅସହାୟ ଜୁନ କେବଳ ସାହାଯ୍ୟର ଅପେକ୍ଷାରେ ରହିଛନ୍ତି ।