Special Story: ପାପର ପେଡ଼ିରୁ ହଟିବ ପରଦା; ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ !

 ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର । 

PEO Death Case

ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ । ପାପର ପେଡ଼ିରୁ ହଟିବ ପରଦା । ନ୍ୟାୟ ପାଇବେ ସ୍ମିତାରାଣୀଙ୍କ ପରିବାର । ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର ବଡ଼ଚଣା ଗସ୍ତରେ ଯାଇ ଘୋଷଣା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାର ତଦନ୍ତ ହେବ । ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦେବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । 

ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ସାମ୍‌ନାକୁ ଆସିଥିଲା ଗୋଟିଏ ପରେ ଗୋଟିଏ ସତ ।  ଗେଷ୍ଟହାଉସ୍‌ରୁ ସ୍ମିତାରାଣୀଙ୍କ ମୃତଦେହ ଜବତ ହୋଇଥିଲା । ପରେ ଚିକ୍କଣ ଅଟ୍ଟାଳିକା ଉପରୁ ଖୋଲିଥିଲା ସାଂଘାତିକ  ଗୁମର । ସରକାରୀ ଜମିରେ ଗେଷ୍ଟହାଉସ ଛିଡ଼ା ହୋଇଥିବା ଜଣାପଡ଼ିଥିଲା । ସାଧାରଣ ଲୋକଙ୍କ ପାଇଁ ଅଟ୍ଟାଳିକାକୁ ସିନା ଗେଷ୍ଟହାଉସ୍‌ କୁହାଯାଉଥିଲା କିନ୍ତୁ ଏ କୁଆଡ଼େ ଥିଲା ରଙ୍ଗଶାଳା । ଏଠାକୁ ବିଜେଡିର କୁଜି ନେତା ଆସୁଥିଲେ । ଆଉ ଏଠି ଚାଲୁଥିଲା ଅନୈତିକ କାର୍ଯ୍ୟ । 

ପୋଲିସ ସ୍ମିତାରାଣୀଙ୍କ ମୃତଦେହ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ଏଠାରୁ ବିଭିନ୍ନ ଆପତ୍ତି ଜନକ ଜିନିଷ ସହ ମଦ ବୋତଲ ମଧ୍ୟ ଜବତ ହୋଇଥିଲା । ପରେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଜଳିଥିଲା ପୁରା ରାଜ୍ୟ । ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । କଂଗ୍ରେସ ମଧ୍ୟ ବିଜେଡି ସରକାରକୁ ଘେରିଥିଲା । କିନ୍ତୁ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ଏହି କଥାକୁ ଚପାଇଦେଇଥିଲେ ବିଜେଡି ସରକାର ।

ଏବେ କିନ୍ତୁ ରାଜ୍ୟରେ ବିଜେପି ସରକାର କରିଛି । ମୁଖ୍ୟମନ୍ତ୍ରୀ ପୁଣି ଥରେ ଏହି ମାମଲାର ସଠିକ୍‌ ତଦନ୍ତ କରିବା ସହ ପରିବାରକୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।