Special Story: ଗାଁ ଦାଣ୍ଡରେ ଚାଲିଛି ଖଟିଆ; ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ ! 

ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ? ଖଟିଆ କାଳେ ସବୁ ଜଣାଇବ । ଏମିତି ଅନ୍ଧ ବିଶ୍ବାସ ନେଇ ଗାଁରେ ଚାଲିଛି ଖଟିଆ । 

Superstition

ଗାଁ ଦାଣ୍ଡରେ ଚାଲିଛି ଖଟିଆ । ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ । ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ଖଟିଆ କାଳେ ସବୁ ଜଣାଇବ । ଏକବିଂଶ ଶତାବ୍ଦୀର ମଣିଷ ଅତ୍ୟାଧୁନିକ ଜ୍ଞାନ କୌଶଳ ବଳରେ  ପୃଥିବୀରୁ ଯାଇ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚିଲେଣି । ହେଲେ ଆଜି ବି ଗ୍ରାମାଞ୍ଚଳରେ ଚାଲିଛି ଅନ୍ଧ ବିଶ୍ୱାସ । ଏମିତି ଘଟଣା ଘଟିଛି ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ନିକଟସ୍ଥ କତମସିଂ ଗାଁରେ । ଏଭଳି ଘଟଣା ନିଶ୍ଚୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ କିନ୍ତୁ ଘଟଣାଟି ସତ ! 

କାରଣ ଏହି ଗାଁର ଜଣେ ବୃଦ୍ଧ କିଛି ଦିନ ହେବ କେଉଁଆଡ଼େ ଚାଲିଯାଇ ନିଖୋଜ ଅଛନ୍ତି । ଫଳରେ ଜ୍ୱାଇଁ ପୋଲିସକୁ ଏନେଇ ଅଭିଯୋଗ କରିବେ କ’ଣ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ନେଇଛନ୍ତି ଗୁଣିଆର ସାହାରା । ଆଉ ଗାଁ ଦାଣ୍ଡରେ ଚାଲିଛି ଖଟିଆ ଚଲା । ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି ତାନ୍ତ୍ରିକର ସାହାରା ଲୋଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ପୂର୍ବତନ ସରପଞ୍ଚ ଫଗୁ ରଣବିଡା । ଅତୀତରେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା  ଜଣେ ବ୍ୟକ୍ତି ଏଭଳି ଅନ୍ଧ ବିଶ୍ୱାସକୁ ଆପଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ତାନ୍ତ୍ରିକ ଗାଁରେ ପହଞ୍ଚି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଆଉ ତା’ ପରେ ୪ ଜଣ ବ୍ୟକ୍ତିଙ୍କୁ ଖଟିଆ ବୁହାଇ ଥିଲେ । ପରେପରେ ଖଟ ବୁହାଳି ମାନେ ଖଟକୁ ବୋହି ଘଣ୍ଟା ଘଣ୍ଟା ଧରି ସାଲୁଙ୍କି ନଦୀ କୂଳେକୂଳେ ବୁଲିଥିଲେ । ଫଳରେ ଏ କଥା ଲୋକଙ୍କ ନିକଟରେ ପହଞ୍ଚିବା ପରେ ନଦୀକୁଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ହେଲେ ନିଖୋଜ ବୃଦ୍ଧାଙ୍କ କୌଣସି ସନ୍ଧାନ ମିଳିପାରିନଥିଲା ।