ଫଣା ଟେକି ଫଁ ଫଁ ହେଉଛି ନାଗ । ପାଖରେ ଥିବା ନିଜର ଅଣ୍ଡାକୁ ଜଗି ରହିଛି । ଯେମିତି ସାଜିଛି ରକ୍ତମୁଖା । ଖାଲି ନାଗ ସାପ ନୁହେଁ ଏମିତି ୮ ପ୍ରକାରର ବିଷାକ୍ତ ସାପ ପୂରା ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢ଼ାଇଲେଣି । କାରଣ ଗତ ୫ ବର୍ଷ ମଧ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚିଲାଣି । ଯାହାକୁ ନେଇ ଏବେ ଜିଲ୍ଲାବାସୀ ଭୟରେ ରହିଛନ୍ତି ।
ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ନେକ୍ ଆଣ୍ଟିଭେନମ ଇଞ୍ଜେକସନ ରହୁ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଲୋକେ ନିର୍ଭର କରୁଛନ୍ତି । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଜିଲ୍ଲା ଡାକ୍ତରଖାନା ନେବା ବାଟରେ ଅନେକଙ୍କ ମୃତ୍ୟୁ ହେଉଛି । ତେଣୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପ୍ରଚୁର ପରିମାଣର ସାପ କାମୁଡା ଇଞ୍ଜେକସନ୍ ମହଜୁଦ ରଖିବାକୁ ସାଧାରଣରେ ଦାବି ହେଉଛି ।
Also Read
ଅନ୍ୟପଟେ ବିଷାକ୍ତ ସାପଙ୍କ ହଟସ୍ପଟ ଢେଙ୍କାନାଳ ବୋଲି ମତ ଦେଇଛନ୍ତି ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାର କାରୀ ଦଳର ସଦସ୍ୟ । ବିଶେଷ କରି ମେ’ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ ଭୟ ରହିଥାଏ । ସାପମାନେ ଅଣ୍ଡା ଦେବା ସହ ଏଣେ ତେଣେ ବୁଲିଥାନ୍ତି । ତେଣୁ ଏହି ବର୍ଷା ଦିନରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ।
ଢେଙ୍କାନାଳରେ ଗତ ୫ ବର୍ଷରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଦେଖିବାକୁ ଗଲେ, ୨୦୧୮-୧୯ରେ ୩୨ ଜଣ । ୨୦୧୯-୨୦ରେ ୩୧ ଜଣ । ୨୦୨୦-୨୧ରେ ସର୍ବାଧିକ ୪୮ ଜଣ । ୨୦୨୧-୨୨ରେ ୩୨ ଜଣ ଓ ୨୦୨୨-୨୩ରେ ୩୨ ଜଣଙ୍କ ଜୀବନ ବିଷାକ୍ତ ସାପ ଚୋଟରେ ଯାଇଛି । ବିଶେଷ କରି ଗଁଦିଆ ତହସିଲ୍ ଅଞ୍ଚଳ ସର୍ପ ଆଘାତ ମୃତ୍ୟୁର ହଟ ସ୍ପଟ୍ ପାଲଟିଛି । କାରଣ ପାଞ୍ଚ ବର୍ଷରେ ଏଠାରେ ସର୍ପାଘାତରେ ୪୧ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ଅଧିକା ସାପ କାମୁଡାର ଶିକାର ହୋଇଛନ୍ତି । ତେଣୁ ସବୁ ସ୍ଥାନରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ସାପ କାମୁଡା ଇଞ୍ଜେକସନ କାହିଁକି ପର୍ଯ୍ୟାପ୍ତ ପରିମାଣର ରହୁନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ତେବେ ଜିଲ୍ଲାରେ ସାପ କାମୁଡା ଜନିତ ମୃତ୍ୟୁ ହାର ବଢ଼ୁଥିବାରୁ ଲୋକେ ଭୟଭୀତ ରହିଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆଗକୁ କେଉଁ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।