ଆଜି ଚିତାଲାଗି ଅମାବାସ୍ୟା, ମହାପ୍ରଭୁଙ୍କ ମସ୍ତକରେ ଲାଗିହେବ ସୁବର୍ଣ୍ଣ ଚିତା

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସରେ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।

Srimandir

ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତିକାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସରେ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଶ୍ରୀଜିଉମାନଙ୍କର ମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁ ଲାଗି କରାଯାଇଥିଲା ସୋଲା ଚିତା । ଆଜି ଏହି ସୋଲା ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ ।

ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ପାନା ଚିତା ଲାଗି କରାଯିବ। ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।