ଲୁହା କଡ଼େଇରେ ରୋଷେଇ: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ' । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Actions Against Cooking in Iron Wok in Puri

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ରୋଷଘର ପରଖିବା ପାଇଁ ପାଟ୍ଟଯୋଶୀ ମହାପାତ୍ର, ତଳଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ କୁହାଯାଇଛି ।

ଶ୍ରୀମନ୍ଦିର ରୋଷଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l

ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ ମଧ୍ୟ ଜଣାଇ ଦିଆଯାଇଛି l  ସମ୍ପୃକ୍ତ ସେବକଙ୍କ ଦ୍ବାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।