Series Loot: ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଗାଁରୁ ଟଙ୍କା ସୁନାଗହଣା ପୋଛିନେଲେ ଚୋର

କଟକ ଜିଲ୍ଲା ବାଙ୍କି ବ୍ଲକ ପୁଇଁଚା ଗ୍ରାମରେ ସିରିଜ୍ ଲୁଟ୍ । ଗାଁରେ ଜାଗର ଯାତ୍ରା ଚାଲିଥିବାବେଳେ ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଚୋର ।

ଗାଁରୁ ସିରିଜ୍ ଲୁଟ୍

ଗାଁରେ ଚାଲିଥିଲା ଜାଗର ଯାତ୍ରା । ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଘରେ ପଶିଗଲେ ଚୋର । ଜାଗର ଯାତ୍ରାର ସୁଯୋଗ ନେଇ ଗାଁରେ କଳାକନା ବୁଲାଇଦେଲେ । ଜଣକ ପରେ ଜଣେ ୫ ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଗହଣା ପୋଛି ଆଣିଲେ । ଗତକାଲି ରାତିରେ କଟକ ଜିଲ୍ଲା ବାଙ୍କି ବ୍ଲକ ବୈଦେଶ୍ୱର ଥାନା ଅନ୍ତର୍ଗତ ପୁଇଁଚା ଗ୍ରାମରେ ଏପରି ସିରିଜ୍ ଚୋରି ହୋଇଛି । ଗାଁର ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ପାଖାପାଖି ଲକ୍ଷେ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?


ସୂଚନା ମୁତାବକ, ପୁଇଁଚା ଗାଁ ମନ୍ଦିର ପଡିଆରେ ଜାଗର ଯାତ୍ରା ଚାଲିଥିଲା । ଯାତ୍ରା ସହ ଗ୍ରାମର ଯୁବକମାନଙ୍କ ଦ୍ବାରା ନାଟକ ପରିବେଷଣ ହେଉଥିଲା ।  ଗାଁ ଲୋକେ ନିଜ ନିଜର ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଚାଲିଯାଇଥିଲେ । ଏହି ସୁଯୋଗରେ ଅଧରାତିରେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ୍ । ସମସ୍ତେ ଯାତ୍ରା ଦେଖୁଥିବାବେଳେ ଏପଟେ ଗାଁ ଭିତରେ କଳାକନା ବୁଲାଇଥିଲେ ଚୋର ।

ଜଣକ ପରେ ଜଣଙ୍କ ଘର ତାଲି ଭାଙ୍ଗି ଲୁଟ୍‌ପାଟ୍ କରିଥିଲେ । ଗାଁର ୫ ଜଣଙ୍କ ଘରୁ ଲୁଟ୍ କରିଛନ୍ତି । ରାତି ପ୍ରାୟ ସାଢେ ୧୨ ଟାରୁ ସାଢ଼େ ୧ଟା ମଧ୍ୟରେ ଏହି ଲୁଟ୍ ହୋଇଛି । ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ପାଖାପାଖି ଲକ୍ଷେ ନଗଦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।  

ଏହି ଲୁଟ୍ ଘଟଣା ଜଣାପଡିବା ପରେ ଗାଁ ଲୋକେ ବୈଦେଶ୍ୱର ପୋଲିସକୁ ଖବର ଦେଇଥିଲେ । ପୋଲିସ ପୁଇଁଚା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏ ଯାଏଁ ଚୋରଙ୍କ କୌଣସି ଟେର୍ ମିଳିନି । ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଛି ।