ଅବସରକୁ ଥିଲା ୮ ମାସ, ଜାଲ ପକାଇଦେଲା ଭିଜିଲାନ୍ସ, ୫୨ ପ୍ଲଟ୍ ସହ ୫ ଆଲିସାନ୍ କୋଠା ଠାବ

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।

Vigilance Raid

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା । ତାଙ୍କଠୁ ମିଳିଥିଲା ୩୪ ପ୍ଲଟ୍ । ଆଉ ଆଜି ଅବକାରୀ ବିଭାଗର ଜଣେ ବରିଷ୍ଠ ବାବୁଙ୍କ ମାଳ ମାଳ କୋଠାବାଡ଼ି ସହ ମିଳିଛି ୫୨ଟି ପ୍ଲଟ୍ ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି । ଯାହା ଦେଖି ଭିଜିଲାନ୍ସ ଅଧିକାରୀ ତାଟକା । ବାହାରକୁ ଦେଖା ଯାଉଥିଲେ ସିଧାସାଧା ।

ଆଚରଣ ସହ ହାବଭାବ ବେଶ୍ ସରଳ...ନାଁ ବି ରାମଚନ୍ଦ୍ର । କିନ୍ତୁ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଉଠିଛି ସାଂଘାତିକ । ଭିଜିଲାନ୍ସ ଯେଉଁ ଢଙ୍ଗରେ ଆକ୍ସନ ମୋଡକୁ ଆସିଛି, ତାହା ଦେଖିଲେ ବାବୁ ଏତେ ବି ସରଳ ନୁହଁନ୍ତି । କାରଣ ସରକାରୀ ଚାକିରି କରି ରାଜ୍ୟବ୍ୟାପୀ ଠୁଳ କରିଛନ୍ତି ୫୨ଟି ପ୍ଲଟ୍ ।

୫-୫ଟି ବହୁତଳ କୋଠା, ରାଇସ ମିଲ୍, ଫାର୍ମହାଉସ୍ ସହ ସୁନା ଅଳଙ୍କାର ଏବଂ ବ୍ୟାଙ୍କ ଡିପୋଜିଟ୍ । ଯେତେ ଖୋଳିଲେ ସେତେ ବାହାରୁଛି । ତାଜୁବ୍ ହୋଇଯାଇଛି ଭିଜିଲାନ୍ସ । ବଲାଙ୍ଗିରରୁ ସମ୍ବଲପୁର, ବୁର୍ଲାରୁ ସୁବର୍ଣ୍ଣପୁର । ମିଳିଛି ମାଳ ମାଳ କୋଠା । ବରଗଡ଼ ବଦ୍ରି ପ୍ରସାଦ ଆପାର୍ଟମେଣ୍ଟରେ ମିଳିଛି ଟୁ-BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସିରେ 3 BHK ଫ୍ଳାଟ୍, ଭୁବନେଶ୍ୱର ଖାରବେଳ ନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ରହିଛି 2 BHK ଫ୍ଳାଟ୍ ।

ଏହାକୁ ଛାଡ଼ି ତରଭାରେ ଅଛି ରାଇସ୍ ମିଲ୍ । ଏତେ ସବୁ ଘରଦ୍ୱାର ଥାଇ ବି ବାବୁ ରାମଚନ୍ଦ୍ର କିନ୍ତୁ ଭଡ଼ାଘରେ ରହୁଥିଲେ ଭୁବନେଶ୍ୱର ଧର୍ମ ବିହାରରେ । ସେଇଠି ବି ଭିଜିଲାନ୍ସ ରେଡ୍ କରିଛି । ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ହେଉଛନ୍ତି ରାମଚନ୍ଦ୍ର ମିଶ୍ର ।

ଅବକାରୀ ବିଭାଗରେ ସବ୍ ଇନିସପେକ୍ଟର ଭାବେ ଚାକିରି ଆରମ୍ଭ କରିଥିଲେ । ଏହା ଭିତରେ ରାମଚନ୍ଦ୍ରଙ୍କ ଚାକିରି କାଳକୁ ବିତିଯାଇଛି ୩୦ ବର୍ଷ । ଅବସରକୁ ଥିଲା ଆଉ ମାତ୍ର ୮ ମାସ । କିନ୍ତୁ, ଆୟବହିର୍ଭୂତ ସଂପତ୍ତି ଏବେ କାଳ ସାଜିଛି ତାଙ୍କ ପାଇଁ ।

ବରଗଡ଼, ବଲାଙ୍ଗିର, ସମ୍ବଲପୁର, ସୋନପୁର ଏବଂ ଭୁବନେଶ୍ୱରର ୧୦ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ତେବେ କେଉଁ ଫଣ୍ଡା ଆପଣାଇ ବାବୁ ଠୁଳ କରିଥିଲେ ଏତେ କୋଠାବାଡ଼ି ସହ ଧନସମ୍ପତ୍ତି ? ଏହା ପଛରେ ରହିନି ତ ନିଶା ମାଫିଆଙ୍କ ଲିଙ୍କ୍ ? ୩୦ ବର୍ଷ ଧରି ଅବକାରୀ ବିଭାଗରେ ଅଫିସର୍ ବନିବା ସହ କାହାଠୁ ଅଭୟବର ପାଇ ଆୟଠୁ ବାହାରେ ଏତେ ସମ୍ପତ୍ତି ଗୋଟାଇ ଥିଲେ ରାମଚନ୍ଦ୍ର ?

ଏଭଳି ନାନା ପ୍ରଶ୍ନ ଭିତରେ ରାମଚନ୍ଦ୍ର କହିଛନ୍ତି, ଯାହା ସତ ଥିବ ପଦାକୁ ଆସିବ । ମୁଁ କାହାର କ୍ଷତି କରିନି, ଭଗବାନ ଅଛନ୍ତି । ୪ ଦିନ ତଳେ ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ସମ୍ପତ୍ତି ଦେଖିଥିଲା ପୂରା ରାଜ୍ୟ ।

୩୪ଟି ପ୍ଲଟ୍ ସହ ବହୁ କୋଠାବାଡ଼ିର ଠିକଣା ପାଇବା ପରେ ଗିରଫ କରିଥିଲା ଭିଜିଲାନ୍ସ । ଆଉ ଏବେ ଅବକାରୀ ବିଭାଗର ଯୁଗ୍ମ କମିଶନର । କେବଳ ଏହି ୨ ଜଣ ନୁହଁନ୍ତି । ପୂର୍ବରୁ ଏଭଳି ଅନେକ ବଡ଼ ବଡ଼ ମାଛ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଏମାନେ ଏତେ ବଳିୟାନ ?

ଦୁର୍ନୀତି ରୋକିବା ପାଇଁ ଥିବା ଭିଜିଲାନ୍ସ ବିଭାଗରେ ରହୁନି କି ସ୍ୱଚ୍ଛତା? ନା ଦଣ୍ଡବିଧାନ ଆଖିଦୃଶିଆ ହୋଇ ପାରୁନଥିବାରୁ ନିର୍ଭୟରେ ଠୁଳ କରିଚାଲିଛନ୍ତି ଏଭଳି ଅମାପ ସଂପତ୍ତି?