ଜିଲ୍ଲା ବୁଲିବେ ସମସ୍ତ ସଚିବ, ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ । ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ ।

Secretaries

ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ । ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ । ଅତି କମ୍‌ରେ ୨ ଦିନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରଖିବା ପାଇଁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏହି ସୂଚନା ଅନୁସାରେ, ସଚିବମାନେ ଜିଲ୍ଲାଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବେ । ସାଧାରଣ ଲୋକଙ୍କୁ ଯେପରି ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳିବ ତାହା ସୁନିଶ୍ଚିତ କରିବେ । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ କିଭଳି ଅଧିକ ସଫଳତାର ସହ କାର୍ଯ୍ୟକାରୀ କରିହେବ, ସେନେଇ ମଧ୍ୟ ମତାମତ ଦେବାକୁ ସଚିବମାନଙ୍କୁ କୁହାଯାଇଛି ।

ଏହାସହିତ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଥ୍ୟ ଆଦିକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି, ଯାହାକି ସେମାନଙ୍କୁ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ । କେବଳ ଏତିକି ନୁହେଁ, ସମସ୍ତ ବିଭାଗକୁ ସେମାନଙ୍କ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ଅନୁଧ୍ୟାନ ଓ ରିପୋର୍ଟ ଆଦି ପ୍ରସ୍ତୁତ କରି ସେସବୁକୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

‘ନଲେଜ ବ୍ୟାଙ୍କ’ ଭାବେ ଏକ ପୋର୍ଟାଲ ତିଆରି କରି ସେଥିରେଏହି ସମସ୍ତ ତଥ୍ୟକୁ ଅପଲୋଡ୍ କରାଯିବ । ସରକାରୀ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ମାନଙ୍କ ଦ୍ୱାରା ନୂଆ ଟେକନୋଲୋଜି ଲାଗୁ କରାଯାଇ ପାରେ ବୋଲି ମଧ୍ୟ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି ।

ପୂର୍ବ ସରକାରରେ କେବଳ ଫାଇଭ-ଟି ବ୍ୟତୀତ ଅନ୍ୟ ବିଭାଗୀୟ ସଚିବ ମାନଙ୍କ ଜିଲ୍ଲା ଗସ୍ତ ଉପରେ ଏକପ୍ରକାର ଅଘୋଷିତ କଟକଣା ଲାଗିଥିବା ଅଭିଯୋଗ ଆସୁଥିଲା । ତେବେ ବର୍ତ୍ତମାନର ବିଜେପି ସରକାର ‘ଫାଇଭ-ଟି’କୁ ବନ୍ଦ କରିଥିବା ବେଳେ, ପୁଣି ଥରେ ସଚିବ ମାନଙ୍କ ଜିଲ୍ଲା ଗସ୍ତ ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି ।