ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି ! ମୁହାଁମୁହିଁ ଶାସକ-ବିରୋଧୀ

ପୋଲିସ ସହାୟତା ଲୋଡ଼ିଲେ ରେଭେନ୍ସା କର୍ତ୍ତୃପକ୍ଷ । ବିତର୍କ କମ୍, ବଢିଲା ଗୋଳିଆପାଣିରୁ ଫାଇଦା ନେବା ପ୍ରତିଯୋଗିତା ।

Ravenshaw University Name Change Row

ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି । ବିତର୍କ କମ୍, ବଢିଲାଣି ଗୋଳିଆପାଣିରୁ ଫାଇଦା ନେବାର ପ୍ରତିଯୋଗିତା। କ୍ୟାମ୍ପସରେ ଗଣ୍ଡଗୋଳ, ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ । ସେପଟେ ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

ଫଳରେ କଟକ ଡିସିପିଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି ଲେଖିଛନ୍ତି । ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ରଙ୍କ ପ୍ରବେଶରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଉଲ୍ଲେଖ କରି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାପରେ କ୍ୟାମ୍ପସରେ ଆଜି ପୋଲିସ ମୁତୟନ ହୋଇଛନ୍ତି । 

ଏପଟେ ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ ହୋଇଛି ବିଧାନସଭା। ତୁତୁ-ମେମେ ହୋଇଛନ୍ତି ଶାସକ ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି। ବିରାଟ ଆନ୍ଦୋଳନ ଦାନା ବାନ୍ଧୁଛି। ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତ୍ତି ରଖନ୍ତୁ । କଂଗ୍ରେସ ମଧ୍ୟ ସମାନ କଥା ଉଠାଇ ନାଁ ପରିବର୍ତ୍ତନ ହେବକି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଦାବି କରିଥିଲେ । ସେପଟେ ଜବାବରେ ବିଜେପି କହିଛି କେନ୍ଦ୍ରମନ୍ତ୍ରୀ ବିତର୍କ କଥା କହିଛନ୍ତି । କିନ୍ତୁ ସେ ଗୃହର ସଦସ୍ୟ ନୁହନ୍ତି । ତେଣୁ ତାଙ୍କ ବିଷୟରେ ଆଲୋଚନା କରି ବିରୋଧୀ ଦଳ ଅଯଥା ରାଜନୀତି କରିବା ଗୃହର ସମୟକୁ ବରବାଦ କରୁଥିବା କହିଛନ୍ତି ବିଧାୟକ ଈରାଶିଷ ଆଚାର୍ଯ୍ୟ ।

ଏପଟେ ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିତର୍କର ଆବଶ୍ୟକତା ଥିବା କହି ଦେଇଥିବା ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ 
କାହିଁକି ତେଜୁଛି ରାଜନୈତିକ ବୟାନବାଜି । କୁହାଯାଉଛି, ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବା ଲୋଭରୁ ବର୍ତ୍ତିପାରୁନାହାନ୍ତି ବିରୋଧୀ। ଖାସ କରି ବିଜେଡି ଏ ପ୍ରସଙ୍ଗରୁ ବେଶି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ହେଲେ ରାଜନୈତିକ ସମୀକ୍ଷକଙ୍କ ମତ ବିରୋଧୀ ଏହାକୁ ରାଜନୈତିକ ମୁଦ୍ଦା କରିବାରେ ସଫଳ ହେବାର ସମ୍ଭାବନା ନାହିଁ।