ସାକାର ହେଉଛି ରେଳ ସ୍ୱପ୍ନ; ୫ବର୍ଷରେ ଓଡ଼ିଶାକୁ ମିଳିବ ୧ଲକ୍ଷ କୋଟିର ନୂଆ ପ୍ରକଳ୍ପ

ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ବ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି।

aswini

ନୂଆ ସରକାର, ନୂଆ ଉତ୍ସାହ । ଆଜି ଓଡ଼ିଶା ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ ।

୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ୮ ଶହ କୋଟି ରେଲୱେ ଅନୁଦାନ ମିଳୁଥିଲା । ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ବ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି। ୨୦୨୪-୨୫ ବର୍ଷରେ ଓଡିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ନୂଆ ରେଳ ଲାଇନ୍ ମଧ୍ୟ ରେକର୍ଡ ଆକାରରେ ୧ ହଜାର ୮୪୬ କିଲୋମିଟର ତିଆରି ହୋଇଛି।

ସଂପୂର୍ଣ୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର । ହେଲେ ଗତ ୧୦ ବର୍ଷ ଭିତରେ ତାଠାରୁ ଅଧିକ ଓଡ଼ିଶାରେ ହୋଇଛି । ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା । ବିଜେପି ସରକାର ଓଡ଼ିଶାରେ ଆସିଲା । ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ । ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେହିପରି ରଥଯାତ୍ରା ସମୟରେ ଏଥର ୩୧୫ ଟି ସ୍ବତନ୍ତ୍ର ଟ୍ରେନ ଚାଲିବ । ୨୫ ଜିଲ୍ଲାକୁ ସ୍ବତନ୍ତ୍ର ଟ୍ରେନ ଆସିବ । ୧୦ ବର୍ଷ ତଳେ ମାତ୍ର ୮୯ ଟ୍ରେନ ଚାଲୁଥିଲା । ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର ଓଡ଼ିଶାରେ ହେବ । ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ବିଜେପି ପକ୍ଷରୁ ସମସ୍ତ ନବନିର୍ବାଚିତ ସାଂସଦ , କେନ୍ଦ୍ରମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ, ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହୋଇଥିଲା । ବିଜେପିର ସମସ୍ତ ମଣ୍ଡଳ ସଭାପତି , ସାଧାରଣ ସମ୍ପାଦକ, ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ, ରାଷ୍ଟ୍ରୀୟ ଓ ରାଜ୍ୟ ସଦସ୍ୟ, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରର ମୋର୍ଚ୍ଚା ଦାୟିତ୍ବ ନେଇଥିନା ଓଡିଶାର ସଦସ୍ୟ ଉପସ୍ଥିତ ଥିଲେ । ୨୦ ବିଜେପି ସାଂସଦ ଓ ୭୮ ବିଧାୟକ ସମ୍ବର୍ଦ୍ଧନାରେ ଉପସ୍ଥିତ ରହିଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।