ତିରୁପତି ପରେ ପୁରୀରେ ତତ୍ପରତା .. ଯାଞ୍ଚ ହେବ ଅବଢ଼ାର ମାନ

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Mahaprasad

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେଥିପାଇଁ ଜଣେ ଫୁଡ୍ ଇନସପେଟର ନିଯୁକ୍ତ ହେବେ । ସେପଟେ ସରକାରଙ୍କ ଏ ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଥିବା ବେଳେ ସୁପକାର ସେବକ କହିଛନ୍ତି ଅବଢ଼ା ରନ୍ଧା ପୂର୍ବରୁ ସାମଗ୍ରୀର ମାନ ପରୀକ୍ଷଣ ଠିକ୍, କିନ୍ତୁ ମହାପ୍ରସାଦ ହେବା ପରେ ତାର ଯାଞ୍ଚ ଶାସ୍ତ୍ର ବିରୋଧୀ ।

ତିରୁପତି ପରେ ତତ୍ପରତା .. ବାଲାଜୀ ମନ୍ଦିରରୁ ଶିକ୍ଷା । ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ । ରୋଷ ଘରକୁ ଯାଉଥିବା ସାମଗ୍ରୀ ହେଉ କି ସେଠୁ ବାହାରୁଥିବା ଅବଢ଼ା, ସବୁର ହେବ ମାନ ପରୀକ୍ଷଣ.. ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ଏ ସୂଚନା । ମନ୍ତ୍ରୀ କହିଛନ୍ତି-ଜଗନ୍ନାଥ ମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । ଖାଲି ଅବଢ଼ା ନୁହେଁ, ଅବଢ଼ା ପ୍ରସ୍ତୁତିରେ ଲାଗୁଥିବା ଘିଅର ବି ହେବ ମାନ ପରୀକ୍ଷା । ତିରୁପତି ବାଲାଜୀଙ୍କ ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର ହେଉଥିବାର ସାଂଘାତିକ ଅଭିଯୋଗ ଯେଉଁଭଳି ଭାବେ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଦୋହଲାଇ ଦେଇଛି ।

ପୁରୀ ମନ୍ଦିରରେ ସେଭଳି ଘଟଣା ଘଟିବା ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଶ୍ରୀମନ୍ଦିରରେ ବ୍ୟଞ୍ଜନ ପ୍ରିୟ ମହାପ୍ରଭୁଙ୍କୁ ଲାଗି ହେଉଥିବା ସବୁ ନୈବେଦ୍ୟର ପ୍ରସ୍ତୁତି ଶୁଦ୍ଧ ଦ୍ରବ୍ୟରେ କରାଯିବାର ବିଧି ରହିଛି । ଏକଥା ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ଭଳି ଧର୍ମଶାସ୍ତ୍ରରେ ବି ଉଲ୍ଲେଖ ରହିଛି ।

ଯେହେତୁ ମହାପ୍ରସାଦ ତେଲରେ ରନ୍ଧା ଯିବାର ପରମ୍ପରା ନାହିଁ, ତେଣୁ ଷାଠିଏ ପଉଟି ଭୋଗ ପ୍ରସ୍ତୁତି ପାଇଁ ଦରକାର କେବଳ ଶୁଦ୍ଧ ଘିଅ । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ସତ୍ତ୍ୱଲିପିରେ ବି ରୋଷଶାଳାଙ୍କୁ ଯାଉଥିବା ଘିଅ ସହ ଅନ୍ୟ ସମସ୍ତ ଅମୁଣିଆ ସାମଗ୍ରୀର ଯାଞ୍ଚ କଥା ଉଲ୍ଲେଖ ଅଛି । ଏ ଦାୟିତ୍ୱ ଦେଉଳ କରଣ, ରୋଷ ପାଇକ, ରୋଷ ଅମିନ, ଶ୍ରୀମନ୍ଦିର ସୁପରଭାଇଜର ଓ ଛତିଶା ନିଯୋଗ ନାୟକଙ୍କର ।

ଠାକୁରଙ୍କ ପାଖରେ ମୁଖ୍ୟତଃ ଦୁଇ ପ୍ରକାର ଭୋଗ ଲାଗି ହେଉଛି- ତାହା ହେଲା କୋଠ ଭୋଗ ଓ ବରାଦି ଭୋଗ । ବରିଷ୍ଠ ସୁପକାର ସେବକଙ୍କ ମତରେ ଶ୍ରୀମନ୍ଦିର ରୋଷଶାଳାରେ ଏବେ ଓମଫେଡ୍ ଘିଅରେ ଏସବୁ ରନ୍ଧନ ହେଉଛି । ତେଣୁ ସରକାର ଯେଉଁ ପ୍ରକାର ଘିଅକୁ ଅନୁମତି ଦେବେ ଆମେ ସେଥିରେ ଭୋଗ ପ୍ରସ୍ତୁତି କରିବୁ ।

ତେବେ ମହାପ୍ରଭୁଙ୍କୁ ଭୋଗ ଲାଗି ହେବା ପରେ ସେ ମହାପ୍ରସାଦର ଯାଞ୍ଚ ଶାସ୍ତ୍ର ବିରୋଧୀ । ତେଣେ ଶ୍ରୀମନ୍ଦିରରେ ଘିଅ ସହ ଅନ୍ୟ ସାମଗ୍ରୀର ଯାଞ୍ଚ ପାଇଁ ସରକାର ଫୁଡ୍ ଇନସପେକଟର ନିଯୁକ୍ତି ଦେବା ଘୋଷଣାକୁ ସ୍ୱାଗତ କରିଛନ୍ତି ଭକ୍ତ । ଆଗରୁ ଶ୍ରୀମନ୍ଦିରର ସମସ୍ତ ଶୁଖିଲା ଭୋଗ ଓ ଅବଢ଼ା ଶୁଦ୍ଧ ଦେଶୀ ଗାଈ ଘିଅରେ ପ୍ରସ୍ତୁତ ହେଉଥିଲା ।

ମଝିରେ ଏଥିରେ ବ୍ୟତିକ୍ରମ ହେବାରୁ, କିଛି ବର୍ଷ ତଳୁ କେବଳ ଓମଫେଡ୍ ଘିଅକୁ ମନ୍ଦିରରେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ହେଲେ ତିରୁପତି ଲଡୁ ବିବାଦ ପରଠୁ ସରକାର ଶ୍ରୀମନ୍ଦିର ପାଇଁ ଅଧିକ ଯତ୍ନବାନ ହୋଇଛନ୍ତି ।