୩୨ ଟଙ୍କାରେ ବିକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, କଟକ ଛତ୍ର ବଜାରରେ ଆଳୁ କେଜି ୫୦ ଟଙ୍କା!

ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ ।

Potato Price

ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ । କଟକ ଛତ୍ର ବଜାରରେ ଆଜି ଆଳୁ କେଜି ୫୦ ଟଙ୍କା ରହିଛି । ସପ୍ତାହେ ପରେ ପଶ୍ଚିମବଙ୍ଗରୁ ଧିରେ ଧିରେ ସ୍ୱାଭାବିକ ହେଉଛି ଆଳୁ ଯୋଗାଣ । ଓଡ଼ିଶାରେ ପହଞ୍ଚୁଛି ଆଳୁ 

ଗାଡ଼ି । ଗତକାଲି ଅପରାହ୍ନରୁ ଆଜି ସକାଳ ସୁଦ୍ଧା ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ୨୩ଟି ଗାଡ଼ି ପହଞ୍ଚିଛି ।

କଟକ ଛତ୍ରବଜାରକୁ ବି ଆସିଛି ଆଳୁ ଗାଡ଼ି । ସପ୍ତାହେ ପରେ ଯୋଗାଣ ସ୍ୱାଭାବିକ ହେଉଥିବା ବେଳେ ରାଜ୍ୟରେ ତଥାପି ଆଳୁ କିଲୋ କେଉଁଠି ୫୦ ଟଙ୍କା ତ ଆଉ କେଉଁଠି ୫୦ ଟଙ୍କା ଉପରେ ରହିଛି । ଆଜିଠାରୁ ରାଜ୍ୟରେ ଦାମ୍ ଖସିବ ବୋଲି ବ୍ୟବସାୟୀ ମହାସଂଘ କହିଛି । ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସେମାନେ ପାଇକାରୀ ଦରରେ ୩୦ ଟଙ୍କାରେ ଆଳୁ ଯୋଗାଇବେ ।

କିନ୍ତୁ ଖୁଚୁରା ବ୍ୟବସାୟୀଙ୍କ ମନମାନୀ ରୋକିବାକୁ ସରକାର ନିର୍ଦ୍ଧିଷ୍ଟ ନୀତି ବା ଗାଇଡଲାଇନ ଆଣିବାର ଆବଶ୍ୟକ । ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ନାହିଁ । ଯେଉଁ କିଛି ଗାଡ଼ି ଆସିଛି ବିଭିନ୍ନ ଗଳା ବାଟରେ ଚାନ୍ଦା ଦେଇ ଆସିଛନ୍ତି । ଯାହାର ଭରଣା ପାଇଁ ଖାଉଟିଙ୍କୁ ଅଧିକ ଦରରେ ଆଳୁ ବିକିବେ ବ୍ୟବସାୟୀ ।

ତେଣୁ ସମସ୍ୟାର ସମାଧାନ ପାଇଁ  ସରକାର ଯଥୋଚିତ ଉଦ୍ୟମ କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହାସଂଘ କହିଛି । ସେପଟେ ରାଜ୍ୟରେ ଆଉ ଆଳୁ ସଂକଟ ନାହିଁ । ପଶ୍ଚିମବଙ୍ଗରୁ ଅଧିକରୁ ଅଧିକ ଗାଡ଼ି ଆସି ପହଞ୍ଚିଲାଣି । ଓଟିଭିକୁ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସବୁଠି ଆବଶ୍ୟକ ଆଳୁ ମହଜୁଦ ହେଲାଣି । କିଣା ଦାମରୁ ଢେର ଅଧିକ ଦାମରେ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଫାଇନ ଆଦାୟ ହେବ ବୋଲି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।