ପୁଣି ଓଡ଼ିଶା ଫେରୁଛି ପୋସ୍କୋ । ଏଥର ପାରାଦୀପ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ । ହେଲେ ଏକା ନୁହେଁ JSW-ପୋସ୍କୋ ମିଳିତ ଭାବେ କରିବେ ଏ ପ୍ଲାଣ୍ଟ୍ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଗତ କିଛି ଦିନ ଧରି ପ୍ରକାଶ ପାଉଥିବା ଏ ଖବର ଉପରେ ମୋହର ମାରି ଏନେଇ ବଡ଼ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁଝର ଗସ୍ତ ଅବସରରେ କହିଛନ୍ତି- ଦିଲ୍ଲୀ ଓ ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ରୋଡ୍ ସୋ ବେଳେ ଏନେଇ ଉଭୟ JSW ଓ ପୋସ୍କୋ ସହ ଆଲୋଚନା ହୋଇଥିଲା । ଏହା ଭିତରେ ସେମାନେ ମଧ୍ୟ ପରସ୍ପର ଭିତରେ ଏମଓୟୁ କରି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି ମେନସନ୍ କରିଛନ୍ତି । ଏଥିସହ ନିଶ୍ଚିତ ଭାବେ ଏ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ଦୁଇଟି ଯାଗା ଚିହ୍ନଟ ହୋଇଛି । ଗୋଟିଏ ହେଲା ପୂର୍ବରୁ ଷ୍ଟିଲ ପ୍ଲାଣ୍ଟ ପାଇଁ ଆର୍ସେଲର ମିତ୍ତଲକୁ ପାଟଣା ବ୍ଲକରେ ଦିଆଯାଇଥିବା ୧୯୫୬ ଏକରର ଜମି । ଏବଂ ଅନ୍ୟଟି ବାଂଶପାଳ ବ୍ଲକର ତରମାକାନ୍ତ ସ୍ଥିତ ଓଡ଼ିଶା ଟି ପ୍ଲାଣ୍ଟେସନ୍ ଲିମିଟେଡ୍ -ଓଟିପିଏଲର ଉଜୁଡ଼ିଯାଇଥିବା ଚା ବଗିଚାର ୨୫ ଶହ ଏକର ଜାଗା ।
Also Read
ଚା ବଗିଚା ବନ୍ଦ ହେବା ପରେ ଏବେ ଏହି ଜମି ସରକାରଙ୍କ ଅଧିନରେ ରହିଛି । ତେଣୁ ଏ ଭିତରୁ ଯେକୌଣସି ଗୋଟିକୁ ବାଛିବା ପାଇଁ ଖୁବ୍ଶୀଘ୍ର ଉଭୟ କମ୍ପାନିର ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସୁଛି । ଉଭୟ କମ୍ପାନି ମଧ୍ୟରେ ବୁଝାମଣା ମୁତାବକ ପ୍ରାରମ୍ଭିକ ଭାବେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍ ରହିବ ।
ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇପାରେ। ତେବେ ଏନେଇ କେତେ ପୁଞ୍ଜିନିବେଶ ହେବ ତାହା ୨୦୨୫ ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଘୋଷଣା ହେବ ବୋଲି କୁହାଯାଉଛି । ହେଲେ ଜିଲ୍ଲାର ଯେଉଁଠି ବି ହେଉ, ମେଗା ଷ୍ଟିଲ୍ ପ୍ଲାଣ୍ଟ ବସିବା ଖବରରେ ବେଶ୍ ଉତ୍ସାହିତ ଜିଲ୍ଲାବାସୀ ।