ସାବାଡ଼ ହେବେ ଥାନାରେ ଉତ୍ପାତ କରୁଥିବା ଅମାନିଆ, କମିଶନରେଟ୍ ପୋଲିସର ନୂଆ ଯୋଜନା

ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।

Body Camera

ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା । ଥାନା ରିସେପସନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଫଳରେ ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ । ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଖାରବେଳନଗର ଥାନା ବୁଲି ଦେଖିବା ସହିତ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହଁନ୍ତି ପୋଲିସର ବ୍ୟବହାର ନେଇ ମଧ୍ୟ ହେବ ଛାନଭିନ ।

କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ବଡି କ୍ୟାମେରାରେ ଥିବା ପ୍ୟାନିକ ବଟନ୍ ଦବାଇବା ମାତ୍ରେ ସମସ୍ତ ଘଟଣାର ରେକର୍ଡିଂ ହେବ । ପୂର୍ବରୁ ଭରତପୁର ଘଟଣା ପାଇଁ ବିବାଦ ଘେରକୁ ଆସିଥିଲା କମିଶରେଟ ପୋଲିସ । ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳା ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।