ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଛି ।

Traffic Checking

ଏଥର ଅମାନିଆଙ୍କ ଗାଡ଼ିରେ ପଶିବ କଣ୍ଟା । ରଙ୍ଗ ରୁଟରେ ଗଲେ ବ୍ୟାରିୟର ଦ୍ୱାରା ଗାଡି ଲିକ୍‌ କରିବ ପୋଲିସ । ଟ୍ରାଫିକ ନିୟମ ନମାନି ଗାଡ଼ି ଚଳାଉଛନ୍ତି କି ? ମଦ ପିଇ ଡ୍ରାଇଭ କରୁଛନ୍ତି କି ? ଯଦି ଏଭଳି କରୁଛନ୍ତି ହୋଇଯାଆନ୍ତୁ ସାବଧାନ । କାରଣ ଚେକିଂ ବେଳେ ଆପଣଙ୍କ ଗାଡି ଲିକ୍ କରିଦେବ ପୋଲିସ ।

ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଛି । ୨୬ଟି ଜାଗାରେ ଚେକିଂ ବେଳେ ୮୪ଟି ଗାଡିକୁ ଧରି ଚାଳକଙ୍କୁ ମୋଟା ଅଙ୍କର ଫାଇନ କରିଛି ପୋଲିସ । ଏହା ସହ ସେମାନଙ୍କ ବିରୋଧରେ କୋର୍ଟରେ ଓ ଡିଏଲ୍‌ ରଦ୍ଦ କରିବାକୁ ଆରଟିଓଙ୍କୁ ସୁପାରିଶ କରାଯାଇଛି ।

ଖାଲି ସେତିକି ନୁହେଁ, ପୋଲିସ୍‌ ଚେକିଂକୁ ଦେଖି ଯେଉଁମାନେ ୟୁଟର୍ଣ୍ଣ ଦେଉଥିଲେ ସେମାନଙ୍କୁ ଧରିବା ପାଇଁ ସ୍ପାଇକ୍‌ ଲଗାଯାଇଛି । ଗତକାଲି ସ୍ପାଇକ ବ୍ୟାରିୟର ବ୍ୟବହାର କରି ୨ଟି ଚାରିଚକିଆ ଓ ୧୨ଟି ଦୁଇ ଚକିଆ ଗାଡ଼ିକୁ ଲିକ୍‌ କରିଦିଆଯାଇଛି। ତେବେ ଆଗକୁ ବ୍ଲକିଂ, ଚେକିଂ କଡ଼ା କଡ଼ି ହେବ ବୋଲି ପୋଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଥିଲା ପୋଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ, ପରେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୋଲିସ । ଯେଉଁମାନେ ଗାଡ଼ି ଡ୍ରାଇଭ ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡ଼ି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି କହିଥିଲେ କମିଶନର ।

ପୋଲିସ୍ କମିଶନରଙ୍କ କହିବା ଅନୁସାରେ ଅମାନିଆ ଚାଳକଙ୍କ ଗାଡ଼ିକୁ କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ପୋଲିସ୍‌ ତତକ୍ଷଣାତ ଜବତ କରିବ । ଚେକିଂ ସମୟରେ ପୋଲିସ ଉପରକୁ ଗାଡ଼ି ଚଢ଼ାଇ କେତେକ ଅମାନିଆ ଡ୍ରାଇଭର ଖସି ପଳାଉଥିବା ନଜର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ତାଙ୍କ ନାଁରେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ ନିଷ୍ପତ୍ତି ନେଇଥିଲା ।