ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟାକୁ ନେଇ ଉତ୍ତେଜନା, BNSSର ଧାରା 163 ବଳବତ୍ତର

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପରେ ବଳବତ୍ତର ରହିଛି BNSS-୧୬୩ ଧାରା ।

Khordha Tension

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପରେ ବଳବତ୍ତର ରହିଛି BNSS-୧୬୩ ଧାରା । ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦ ମୌଜାର ୱାର୍ଡ ନମ୍ବର-୨, ୱାର୍ଡ ନମ୍ବର-୨୧ ଏବଂ ୨୨ ସହ ଆଂଶିକ ଭାବେ ୱାର୍ଡ ନମ୍ବର- ୧ ଏବଂ ୩ରେ ୧୬୩ ଧାରା ଲାଗୁ କରାଯାଇଛି । ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ, ରାତିସାରା ପୋଲିସ ମୁତୟନ ରହିଥିଲେ ।

ଗତକାଲି ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର । ତାଙ୍କୁ ପୂର୍ବ ଶତୃତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରକୁ ଫେରୁଥିବା ବେଳେ ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ନିକଟରେ ପୋଡ଼ାସାହିର ଗୋଟିଏ ଗୋଷ୍ଠୀ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଫଳରେ ସଂପୃକ୍ତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ପରଠୁ ଉତ୍ତେଜନା ଦେଖାଦେଇଥିଲା । ୨୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଡିଜି ଏବଂ ଗୁଇନ୍ଦା ନିର୍ଦ୍ଦେଶକ । ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଡିଜି ଅପିଲ୍ କରିଥିବାବେଳେ ଉତ୍ତେଜନାକୁ ଦେଖି, ଭାରତୀୟ ନାଗରିକ ସୁରକ୍ଷା ସଂହିତା-BNSS ଅନୁଯାୟୀ ୧୬୩ ଧାରା ଲାଗୁ କରାଯାଇଛି । ଯାହାକି ପୂର୍ବ ୧୪୪ ଧାରା କୁହାଯାଉଥିଲା । ଅର୍ଥାତ ସଂପୃକ୍ତ ଇଲାକାରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ ।

କୌଣସି ରାଲି, ଶୋଭାଯାତ୍ରା, ଧାରଣା, ବିକ୍ଷୋଭ କିମ୍ବା ପ୍ରତିବାଦକୁ ଅନୁମତି ଦିଆଯାଇପାରିବ ନାହିଁ । ଲାଠି, ଅସ୍ତ୍ରଶସ୍ତ ଆଦି ଧରି କେହି ବୁଲିପାରିବେ ନାହିଁ । କଟକଣା ବଳବତ୍ତର ରହିବା ଯାଏଁ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବ୍ୟାବସାୟିକ କେନ୍ଦ୍ର ଗୁଡ଼ିକ ବନ୍ଦ ରହିବ ।