ଜେଲରେ ଅବାଧ ନିଶା ସେବା ପଛରେ କିଏ ? ଟେନିସ୍ ବଲ୍‌ରେ ଯାଉଛି ମାଦକ ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? ମାଳ ମାଳ ମାଦକ ଦ୍ରବ୍ୟର ହେଉଛି ଅବାଧ ପ୍ରବେଶ ।

Raid in Jail

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? ମାଳ ମାଳ ମାଦକ ଦ୍ରବ୍ୟର ହେଉଛି ଅବାଧ ପ୍ରବେଶ । ଭିତରେ ଯେତେ ଚଢ଼ାଉ ହେଉଛି, ସେତେ ବାହାରୁଛି ଭାଙ୍ଗ, ଖଇନି, ବିଡ଼ି, ଗୁଟଖା ଭଳି ହାନିକାରକ ନିଶା ଦ୍ରବ୍ୟ...କିଏ ଆଣୁଛି ? କେମିତି ପଶୁଛି ? କିଏ ସାଜିଛି କାର୍ପଟଦାର ? ସମ୍ବଲପୁର ମଣ୍ଡଳ କାରାଗାରର, ବରଗଡ଼ ଜେଲରେ ମିଳିଛି ମାଦକ ଦ୍ରବ୍ୟ ।

ଆଜି ଭୋରରୁ ଦଳବଳ ସହ ଉଭୟ ଜେଲରେ ରେଡ୍ କରି ବିପୁଳ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ୍ । କୁହାଯାଉଛି ଏହାଥିଲା ସରପ୍ରାଇଜ୍ ରେଡ୍ । ତେଣୁ ସ୍ୱତନ୍ତ୍ର ଟିମ୍ ତିଆରି କରି କଏଦୀମାନେ ଶୋଇଥିବା ଅବସ୍ଥାରେ ବରଗଡ଼ ଓ ସମ୍ବଲପୁର ଜେଲରେ ଭୋରରୁ ଛାପାମାରି ଏସବୁକୁ ଜବତ କରିଛି ଉଭୟ ଜିଲ୍ଲାର ପୋଲିସ । ତେବେ କିଏ ଆଣୁଛି ନିଶାଦ୍ରବ୍ୟ ?

ସୁରକ୍ଷା ବଳୟ ଭେଦି ଜେଲର ଚାରିକାନ୍ଥକୁ କେମିତି ପଶୁଛି ? କିଏ ସାଜିଛି ଏହି ମାଦକ ଦ୍ରବ୍ୟ ସେବାର କାର୍ପଟଦାର ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣିଲେ ମୁଣ୍ଡରେ ହାତ ଦେଇଦେବେ । ସମ୍ବଲପୁର ମଣ୍ଡଳ କାରାଗାରରେ ଅନେକ ବର୍ଷ ପରେ ପୋଲିସ ଫୋର୍ସ ଧରି ଚଢ଼ାଉ କରିବାକୁ ଯାଇଥିଲା ।

ଗଂଜେଇ ହେଉ କି ଭାଙ୍ଗ, ଖଇନି ହେଉ କି ଗୁଟଖା । ଟେନିସ୍ ବଲରେ ଏସବୁ ଦ୍ରବ୍ୟକୁ ଭର୍ତ୍ତି କରି ଜେଲ ହତା ଭିତରକୁ ଫିଙ୍ଗାଯାଉଛି । ଅର୍ଥାତ୍ ଶୂନ୍ୟରେ ଉଡ଼ି ଉଡ଼ି ଆସି ଜେଲ୍ ପରିସରରେ ଖସିପଡୁଛି କଏଦୀଙ୍କ ମନପସନ୍ଦର ନିଶା ପୁଡ଼ିଆ । କେବଳ ସମ୍ବଲପୁର ନୁହେଁ, ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲରେ ବି ଏଭଳି ନିରାପଦ ପନ୍ଥା ଆପଣାଇ ନିଶା ସାମଗ୍ରୀର ଅବାଧ ପ୍ରବେଶ କରାଉଛନ୍ତି କଏଦୀ ।

ଗତ ସେପ୍ଟେମ୍ବରରେ ଏକଥା କହିଥିଲେ ଅତିରିକ୍ତ ଦାୟିତ୍ୱରେ ଥିବା ତତ୍କାଳୀନ ଜେଲ୍ ଏଡିଜି ଅମିତାଭ ଠାକୁର । ଏସବୁ କଥା ଜାଣିଲା ପରେ ଲାଗୁଛି ସତେ ଯେମିତି ମାଦକ ଦ୍ରବ୍ୟର ଭଣ୍ଡାର ପାଲଟିଛି କାରାଗାର । ଯେଉଁଠି ଜେଲ୍ ମାନୁଆଲ ଅନୁଯାୟୀ ଶକ୍ତ ନିୟମ ଥାଏ, ସେଇଠି ଅପରାଧୀଙ୍କ ଚାଲିଛି ହୁକୁମ୍ ।

ତେବେ କଡ଼ା ସୁରକ୍ଷାରେ ଥାଇ ଏବଂ ନିଶା ବ୍ୟବହାର ନିଷିଦ୍ଧ କଥା ଜାଣି ବି କଏଦୀ କାହିଁକି ବେଧଡ଼କ ଚଳାଇଛନ୍ତି ନିଶା କାରବାର ? ଏହି ବେଆଇନ କାର୍ଯ୍ୟକଳାପ ସଂପର୍କରେ କ’ଣ ଜେଲ୍ କର୍ତ୍ତୃପକ୍ଷ ଆଗୁଆ ଜାଣିପାରୁନାହାଁନ୍ତି, ନା ଜାଣିଶୁଣି ଅଜଣା ରହୁଛନ୍ତି ? କାହିଁକି ହେଉନି ନିୟମିତ ଯାଞ୍ଚ ? କଏଦୀ ଏବଂ ଜେଲ୍ କର୍ମଚାରୀଙ୍କ ମିଲିଭଗତରେ କାରାଗାରରେ ଚାଲିଛି କି ଏଭଳି ନିଶା ବ୍ୟବହାର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଜେଲ୍ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।