ରାଜ୍ୟର ପ୍ରଥମ ସୁଡ଼ଙ୍ଗ ରାସ୍ତାକୁ ନେଇ ଉତ୍ସାହ, ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ୍ ଉଚ୍ଚତା

କୋରାପୁଟରେ ରାଜ୍ୟର ପ୍ରଥମ ଟନେଲ ରାସ୍ତାକୁ ନେଇ ଉତ୍ସାହ । ଆରବର୍ଷ ଟନେଲ୍ କାମ ସାରିବାକୁ ଟାର୍ଗେଟ୍ ।

Tunnel Highway

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ଟନେଲ ବା ସୁଡ଼ଙ୍ଗ ରାସ୍ତା । ଭାରତମାଳା ପ୍ରକଳ୍ପ ଅଧିନରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଥିବା ଜାତୀୟ ରାଜପଥରେ, କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ବି ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି । 

କୋରାପୁଟ ଜିଲ୍ଲା ସୁଙ୍କି ଘାଟି ପାଖ ଦେଇ ତିଆରି ଚାଲିଛି ରାଜ୍ୟର ପ୍ରଥମ ସୁଡ଼ଙ୍ଗ ରାସ୍ତା । ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ୍ ଉଚ୍ଚରେ, କେନ୍ଦ୍ର ସରକାରଙ୍କ ଭାରମାଳା ପ୍ରକଳ୍ପ ଅଧିନରେ ନିର୍ମାଣଧୀନ ଦୁଇ ଦୁଇଟି ଟନେଲ୍ । ଗୋଟିକର ଲମ୍ବ ୩.୪୨ କିଲୋମିଟର ଓ ଅନ୍ୟଟିର ଲମ୍ବ ୨.୮ କିଲୋମିଟର । ଗୋଟିଏ ଓଡ଼ିଶାରୁ ଆନ୍ଧ୍ର ଅଭିମୁଖେ ଗଲାବେଳେ କୁନ୍ଦୁଲି ଓ ଶୁଙ୍କି ନିକଟରୁ ଆରମ୍ଭ ହୋଇ କାନ୍ଦିଲିରେ ସରିବ । ଅନ୍ୟଟି  ବିପରୀତ ଦିଗ ଆନ୍ଧ୍ର ପଟୁ ଓଡ଼ିଶାକୁ ଆସିବା ବେଳେ କୁରାଲିଠୁ ଆରମ୍ଭ ହୋଇ ସୁଙ୍କି ପଞ୍ଚାୟତର ଅମ୍ପାବାଲି ଗାଁରେ ଶେଷ ହେବ । 

ଆସନ୍ତାବର୍ଷ କାମ ସରିବାକୁ ଥିବାରୁ 2022 ମସିହାରୁ ଆରମ୍ଭ ହୋଇଥିବା ଟନେଲର ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଛି । ଆଉ ତିଆରି ସରିଲେ ଅତି ମନୋରମ ଦିଶିବ ଟନେଲ୍ । ତେଣୁ କୋରାପୁଟ ସୁନ୍ଦରପଣରେ ହଜାରେ ପର ଖଞ୍ଜିବାକୁ ଯାଉଥିବା ରାଜ୍ୟର ଏ ପ୍ରଥମ ସୁଡ଼ଙ୍ଗ ରାସ୍ତାକୁ ନେଇ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ।

16 ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଥିବା 6 ଥାକ ବିଶିଷ୍ଟ 465 କିଲୋମିଟରର ରାସ୍ତା । ଯାହାର ଓସାର ଜଙ୍ଗଲ ରାସ୍ତାରେ 35 ମିଟର ଓ ଅଣଜଙ୍ଗଲ ରାସ୍ତାରେ 60 ମିଟର।  ଏହା ଅଧିନରେ କୋରାପୁଟ ଜିଲ୍ଲା ଦେଇ ଦୁଇଟି ଟନେଲ୍ ସମେତ 124 କିଲୋମିଟର ରାସ୍ତା କାମ ଚାଲିଥିଲା ବେଳେ ନବରଙ୍ଗପୁର ଜିଲ୍ଲାରେ ବି 116 କିଲୋମିଟର ରାସ୍ତା କାମ ଚାଲିଛି ।

ଭାରତମାଳା ପରିଯୋଜନାରେ ଏ ନୂଆ ଛ ଥାକିଆ ରାସ୍ତା ଓ ସେଥିରେ ଥିବା ଦୁଇ ଦୁଇଟି ଟନେଲ୍, ଖାଲି ଯାତ୍ରାରେ ରୋମାଞ୍ଚକର ଅନୁଭୂତି ଦେବନି, କୋରାପୁଟର ପର୍ଯ୍ୟଟନକୁ ସମୃଦ୍ଧ କରିବା ସହ ବିକାଶକୁ ନୂଆ ଦିଶା ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ବି ମାଇଲଖୁଣ୍ଟ ସାଜିବ ବୋଲି କୁହାଯାଉଛି ।

ପ୍ରକଳ୍ପ ଶେଷ ପାଇଁ ଧାର୍ଯ୍ୟ ସମୟ ପାଖେଇ ଆସୁଥିବାରୁ କେବଳ ଟନେଲ ନୁହେଁ, କେଉଁଠି ବଡ଼ ବଡ଼ ବ୍ରିଜ୍ ତ କେଉଁଠି ଜୋରସୋରରେ ଚାଲିଛି ରାସ୍ତା ଓ ଫ୍ଲାଏଓଭର ନିର୍ମାଣ କାମ । ନିକଟରେ କୋରାପୁଟ ଜିଲ୍ଲାପାଳ ରାସ୍ତା ଏବଂ ଟନେଲ୍ କାର୍ଯ୍ୟ ସମୀକ୍ଷା କରି ଧାର୍ଯ୍ୟ ସମୟ ଭିତରେ ଏହାର କାର୍ଯ୍ୟ ସମ୍ପନ୍ନ ହେବ ବୋଲି କହିଛନ୍ତି । ଏବେ ଅପେକ୍ଷା କେବେ ଶେଷ ହେଉଛି ଏ ପ୍ରକଳ୍ପ। କେବେ କାର୍ଯ୍ୟକ୍ଷମ ହେଉଛି ରାଜ୍ୟର ପ୍ରଥମେ ଟନେଲ୍ ହାଇୱେ ।