/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754140346.jpg)
Midday Meal Scheme
ପିଏମ୍ ପୋଷଣ ଯୋଜନାରେ ସ୍କୁଲ୍ ପିଲା ଅଣ୍ଡା ଖାଉ ନଥିଲେ ଦିଆଯିବ ଫଳ। ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ। ଶିଶୁ ବାଟିକାଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉନଥିଲେ ଫଳ ମିଳିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର।
ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ବିଭିନ୍ନ ଖାଦ୍ୟ ସାରଣୀ ରହିଛି। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନେ ଅଣ୍ଡା ଖାଇପାରୁନାହାନ୍ତି। ସେଥିପାଇଁ ସେହି ପିଲାମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଉଲ୍ଲେଖଯୋଗ୍ୟ, କେବଳ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯାଉଥିଲା ମଧ୍ୟାହ୍ନ ଭୋଜନ। କିନ୍ତୁ ଗତ ମାର୍ଚ୍ଚ ମାସରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିଲା ନିର୍ଦ୍ଦେଶନାମା। ଏନେଇ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବା ନେଇ ମଧ୍ୟ ଘୋଷଣା କରିଥିଲେ। ଏହା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପିଲାଙ୍କୁ ସ୍କୁଲରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ଦେବାକୁ ଘୋଷଣା ହୋଇଥିଲା। ଯାହା ଶିଶୁବାଟିକାଠାରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମିଳୁଛି। ଏବେ ଆମିଷ ଖାଉନଥିବା ପିଲାଙ୍କୁ ଫଳ ଦେବା ନେଇ ଘୋଷଣା ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଅଧିକ ଆଗ୍ରହ ବଢ଼ାଇବ ବୋଲି ଆଶା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)