‘ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି’

ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।

SRC

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ । ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ୪ଟି ରିଲିଫ କ୍ୟାମ୍ପରେ ୫୦୪ ଜଣଙ୍କୁ ଉଦ୍ଧାର କରି ରଖାଯାଇଛି । ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ୮ଟି ସ୍ଥାନରେ ଗମନାଗମନ ପ୍ରଭାବିତ ହୋଇଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି ।

ସେହିପରି ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି କୋରାପୁଟ ଜିଲ୍ଲାର ୬ଟି ବ୍ଲକ ଜୟପୁର, ବୈପାରୀଗୁଡ଼ା, କୁନ୍ଦ୍ରା, ବୋରିଗୁମ୍ମା, ସେମିଳିଗୁଡ଼ା ଓ କୋରାପୁଟ । ୩୬ଟି ଗାଁ ଅଧିକ ପ୍ରଭାବିତ ହୋଇଛି । କୋରାପୁଟ ଜିଲ୍ଲାରେ ୨ଟି ରିଲିଫ୍‌ କ୍ୟାମ୍ପ କରାଯାଇଛି । ଓଡ୍ରାଫର ୨ଟି ଟିମ୍ କୋରାପୁଟ ଜିଲ୍ଲାରେ ମୁତୟନ ରହିଛନ୍ତି । ଅନ୍ୟ ଓଡ୍ରାଫ୍ ଟିମକୁ ବି ଦକ୍ଷିଣ ଓଡ଼ିଶାକୁ ପଠାଯାଇଛି । ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଧିକାରୀ IAS ବିଷ୍ଣୁପଦ ସେଠୀ ଓ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଛି। କାଲିଠୁ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରିବା ନେଇ ଅନୁମାନ କରାଯାଉଥିବା SRC କହିଛନ୍ତି ।

ସେପଟେ ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ । ଓଡ଼ିଶା ଉପକୂଳର ପୁରୀ ନିକଟରେ ଏହା ଅତିକ୍ରମ କରିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍ ଡିପ୍ରେସନ୍ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରେଡ୍ ୱାର୍ଣ୍ଣିଂ ଜିଲ୍ଲାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।

ସେହିପରି ୧୨ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ବାକି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି । ଆଜି ସନ୍ଧ୍ୟା ଯାଏ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ ଡିପ୍ ଡିପ୍ରେସନ୍ । ମଧ୍ୟରାତ୍ରିରେ ଦୁର୍ବଳ ପଡ଼ିପାରେ । ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଛତିଶଗଡ଼ ଆଡକୁ ଗତି କରିବ। ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।