ଗୁଳି ପରେ ଗୁଳି ବାଜୁଥିଲା, ତଥାପି ଅଟକି ନଥିଲା ଗାଡ଼ି; ସୈନିକଙ୍କୁ ପାର୍ କରାଇ ଦେଇଥିଲେ ଓଡ଼ିଆ ସହିଦ୍

୧୯୯୯ ମସିହା ଆଜିର ଦିନରେ । କାରଗିଲ ଯୁଦ୍ଧର ଅବସାନ ହୋଇଥିଲା ।

Kargil Diwas

୧୯୯୯ ମସିହା ଆଜିର ଦିନରେ । କାରଗିଲ ଯୁଦ୍ଧର ଅବସାନ ହୋଇଥିଲା । ଆଉ ଆମ ବୀର ଯବାନମାନେ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି କାରଗିଲ ବିଜୟ ଦିବସ ପାଳନ କରିଥିଲେ । ଏହି ଯୁଦ୍ଧରେ ଅନେକ ବୀର ଯବାନ ଦେଶ ପାଇଁ ସହିଦ ହୋଇଥିଲେ । ଆଉ ସେଥି ମଧ୍ୟରୁ ଆମ ରାଜ୍ୟ ଓଡିଶାର ସହିଦ ଗୋପୀନାଥ ମହାରଣା ହେଉଛନ୍ତି ପ୍ରଥମ ଓଡ଼ିଆ କାରଗିଲ ସହିଦ । ମାତ୍ର ୨୩ ବର୍ଷ ବୟସରେ ୧୯୯୯ ମସିହା ମେ ମାସ ୧୯ ତାରିଖ ଦିନ ଦେଶ ପାଇଁ ଜୀବନ ଦେଇଥିଲେ ସେ ।

ସେହି ବୀର ସହିଦଙ୍କୁ ମନେ ପକାଇ ଆଜି ବି ତାଙ୍କ ପରିବାର ଆଖିରୁ ଲୁହ ଝରାଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦନପୁର ଗାଁରେ ଗୋପୀନାଥଙ୍କ ଜନ୍ମ । ସହିଦଙ୍କ ସ୍ମୃତି ମଣ୍ଡପରେ ରହିଛି ସହିଦ ଗୋପୀନାଥଙ୍କ ପ୍ରତିମୂର୍ତ୍ତି । ପ୍ରତିଦିନ ସହିଦଙ୍କ ମାଆ ଏଠାକୁ ଆସନ୍ତି । ନିଜ ପୁଅର ପ୍ରତିମୂର୍ତ୍ତିକୁ ଆଜି ବି ନିଜ ପଣତ କାନିରେ ପୋଛି ଦିଅନ୍ତି ସେ । ପୁଅର ପ୍ରତିମୂର୍ତ୍ତିକୁ ନିଜ ଛାତିରେ ଜାବୁଡ଼ି ଧରି କଣ ସବୁ ମନେ ମନେ ଗୁରୁଣ୍ଡି ବସନ୍ତି ।

ଆଉ ପ୍ରତିଦିନ ତାଙ୍କ ଆଖିରୁ ଲୁହ ଦୁଇଟୋପା ଝରିପଡ଼େ । ଖାଲି ମାଆ ନୁହଁନ୍ତି ଭଉଣୀମାନେ ମଧ୍ୟ ନିଜ ଭାଇର ପ୍ରତିମୂର୍ତ୍ତିକୁ ଚାହିଁ ସେଦିନର ସ୍ମୃତି ସବୁ ମନେପକାନ୍ତି । ସହିଦ୍ ଗୋପୀନାଥ ଥିଲେ ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡପୁଅ । ମାତ୍ର ୧୮ ବର୍ଷ ବୟସରେ ଭରତୀୟ ସଂଞ୍ଜୁଆ ବାହିନି ୫୨୮ ଏଏସ୍‌ପି ବାଟାଲିୟନ କାର୍ଯ୍ୟ ଆରମ୍ଭ କକିଥିଲେ ।

ପରେ ଡ୍ରାଇଭର ଭାବେ କାରଗିଲ ସେକ୍ଟର ଆଡକୁ ସୈନ୍ୟମାନଙ୍କୁ ଗାଡିରେ ନେବା ବେଳେ ଶତୃପକ୍ଷ ଗୁଳିରେ ସହିଦ୍ ହୋଇଥିଲେ ଗୋପୀନାଥ । ଗୁଳି ପରେ ଗୁଳି ତାଙ୍କ ଦେହରେ ବାଜି ଚାଲୁଥିଲା .. ତଥାପି ଅତ୍ୟନ୍ତ ସାହସର ସେ ପ୍ରାଣ ହରାଇବା ପୂର୍ବରୁ ପୂରା ବାଟାଲିୟନକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇଥିଲେ ।

ତାଙ୍କ ବୀରତ୍ୱ ପାଇଁ ତାଙ୍କୁ ମରଣ ଉପରାନ୍ତ ବହୁ ସମ୍ମାନ ମିଳିଛି । ସହିଦ ଗୋପୀନାଥ ମହାରଣାଙ୍କ ବୀରତ୍ୱ ପାଇଁ ଆଜି ପୁରା ଗାଁ ଗର୍ବରେ ଫାଟିପଡ଼ୁଛି ବୋଲି କହିଛନ୍ତି ଗାଁ ଲୋକେ । ତାଙ୍କ ନାଁରେ ସାଲେପୁର ନେମାଳ ରାସ୍ତା ନାମ ରଖିବା ସହ ତାଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ସରକାର ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।