Advertisment

ମହାବଳଙ୍କ ବେଶୀ ପସନ୍ଦ ଓଡ଼ିଶା ଜଙ୍ଗଲ, ସୁନ୍ଦରଗଡ଼ରେ ଆଡ୍ଡା ଜମାଇଛି ମଧ୍ୟପ୍ରଦେଶ ବାଘ !

ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି ।

undefined

Similipal

Advertisment

ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ। ହଜାର ହଜାର କିଲୋମିଟର ପାର୍ କରି ଆସୁଛନ୍ତି, ଏଠି ନିଜର ଇଲାକା ବି ତିଆରି କରୁଛନ୍ତି। ଏଇ ଯେମିତି ଦୀର୍ଘ ୨୦ ବର୍ଷ ପରେ ସୁନ୍ଦରଗଡ଼ ଜଙ୍ଗଲରେ କ୍ୟାମେରା ଟ୍ରାପ୍‌ରେ କଏଦ ହୋଇଥିବା ମହାବଳ ବର୍ଷକ ତଳୁ ମଧ୍ୟପ୍ରଦେଶର ସଞ୍ଜୟ ଡୁବୁରୀ ଅଭୟାରଣ୍ୟରୁ ଆସି ଡେରା ପକାଇଛି। ସେହିପରି ଗଜପତି ଜଙ୍ଗଲରେ କ୍ୟାମେରାରେ ଟ୍ରାପ ହୋଇଥିବା ମହାବଳଟି ଦୀର୍ଘ ଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଏଠି ଘର କରି ରହିଲାଣି।

Advertisment

ତେବେ ଏଇ ବର୍ଷେ ଦୁଇ ବର୍ଷ ହେଲା ନୁହେଁ, ପୂର୍ବରୁ ବି ମହାବଳଙ୍କ ପସନ୍ଦର ସ୍ଥାନ ରହିଆସିଛି ଓଡ଼ିଶା ଜଙ୍ଗଲ। ନିକଟରେ ନନ୍ଦନକାନରେ ବାର୍ଦ୍ଧକ୍ୟଜନିତ ରୋଗରେ ଦେହାନ୍ତ ହୋଇଥିବା ମହାବଳ- ନନ୍ଦନ 2013ରେ ନନ୍ଦନକାନନକୁ ଆସିଥିଲା। ଏହା ସାତକୋଶିଆ ଅଭୟାରଣ୍ୟରୁ ସାଥୀ ସନ୍ଧାନରେ ନନ୍ଦନକାନନକୁ ପଳାଇ ଆସିଥିଲା ବୋଲି ସେତେବେଳେ ଅନୁମାନ କରାଯାଉଥିଲା।

ହେଲେ ଏହା ମଧ୍ୟ ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡସ୍କେପରୁ ଆସିଥିଲା ବୋଲି ନିକଟରେ ଏହାର ଜିନଗତ ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଓଡ଼ିଶାରେ ମହାବଳଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ଘଞ୍ଚ ଜଙ୍ଗଲ ରହିଛି । ଖାଦ୍ୟ ବି ରହିଛି। ତେଣୁ ସେମାନେ ଓଡ଼ିଶା ଜଙ୍ଗଲକୁ ଆସି ଏଠାରେ ନିଜର ଇଲାକା ତିଆରି କରିବାକୁ ଅଧିକ ପସନ୍ଦ କରୁଛନ୍ତି।

Advertisment

ତେବେ ବାହାର ରାଜ୍ୟରୁ ଆସୁଥିବା ଏହି ମହାବଳଙ୍କ ସୁରକ୍ଷା ଓ ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ ଆଉ ପାଦେ ଆଗେଇଛି। କଳା ବାଘ ସଫାରୀକୁ ପୂର୍ବରୁ ଏନ୍ଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ନିକଟରେ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲ ଜୁ’ ଅଥରିଟି। ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ୧୦୦ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ । ଏମିତିକି ଏଠାରେ ବାଘଙ୍କ ପାଇଁ ରହିବ ସ୍ୱତନ୍ତ୍ର ହସ୍ପିଟାଲ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ। ଫଳରେ ଶିମିଳିପାଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କଳାବାଘ ଦେଖିବାର ସୁଯୋଗ ପାଇପାରିବେ।

Advertisment

ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ 30ଟି ମହାବଳ ଅଛନ୍ତି। ଏମିତିକି ଏବେ ବର୍ଷକରୁ କମ୍ ବୟସର 11ଟି ବାଘ ଶାବକ ବି ରହିଛନ୍ତି । ତେବେ ଅନ୍ୟ ରାଜ୍ୟର ମହାବଳଙ୍କ ଓଡ଼ିଶା ଆଗମନ ଆଗାମୀ ଦିନରେ ରାଜ୍ୟରେ ବାଘ ବଂଶ ବୃଦ୍ଧିରେ କେତେ ସହାୟକ ହେଉଛି, ତାହା ଦେଖିବାକୁ ବାକି ରହିଲା।

PCCF Tiger
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ