Advertisment

ପଞ୍ଚମ ଓ ଅଷ୍ଟମରେ ଝୁଲିବ 'ଫେଲ୍' ଖଣ୍ଡା

ସରିଲା ଅଷ୍ଟମ ଯାଏଁ ସବୁ ପାସ୍ ଯୁଗ। ପଞ୍ଚମ ଓ ଅଷ୍ଟମ ପରୀକ୍ଷାରେ ପାସ୍ ଜରୁରୀ। ଉପର କ୍ଲାସକୁ ଯାଇ ପାରିବେନି ଫେଲ୍ ପିଲା। ମିଳିବ ରି-ଏକ୍ଜାମିନେସନ୍ ସୁଯୋଗ। ପିଲାଙ୍କୁ ଏକ୍ସପେଲ୍ କରିପାରିବନି ସ୍କୁଲ। ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଅଦ୍ୟତନ ହୋଇଛି
New Education Policy

New Education Policy

Advertisment

ସ୍କୁଲ ପିଲା ଓ ଅଭିଭାବକଙ୍କ ପାଇଁ ବଡ଼ ଖବର। ଅଷ୍ଟମ ଶ୍ରେଣୀ ଯାଏଁ ବିନା ପରୀକ୍ଷାରେ ପାସ୍ ହେବା ଯୁଗ ଗଲା। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ ଏବଂ ଫେଲ୍ ହେଲେ ପୁଣି ସେହି କ୍ଲାସରେ ଅଟକିବାକୁ ପଡ଼ିବ। ଅବଶ୍ୟ ଥରେ ଫେଲ୍ ହେଲେ, ପିଲାଙ୍କୁ ମିଳିବ ରି-ଏକଜାମିନେସନ୍ ସୁଯୋଗ ଏବଂ କାହାକୁ ସ୍କୁଲରୁ ଏକ୍ସପେଲ୍ କରାଯାଇ ପାରିବନି। ନିୟମ ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଏନେଇ ମତ ରଖିଛନ୍ତି ଶିକ୍ଷାବିତ୍ ଓ ଅଭିଭାବକ।

Advertisment

ହଟିଲା 'ଅଷ୍ଟମ ଯାଏଁ ସବୁ ପିଲା ପାସ୍' ନିୟମ। ଏଣିକି ପଞ୍ଚମ ଓ ଅଷ୍ଟମରେ ଝୁଲିବ 'ଫେଲ୍' ଖଣ୍ଡା। ତେବେ ଥରେ ଫେଲ୍ ହେଲେ ମିଳିବ ଦ୍ବିତୀୟ ସୁଯୋଗ। ପୂର୍ବରୁ ଶିକ୍ଷା ଅଧିକାର ଆଇନରେ ପ୍ରଥମରୁ ଅଷ୍ଟମ ଯାଏଁ କାର୍ଯ୍ୟକାରୀ ହେଉଥିଲା ନୋ-ଡିଟେନସନ୍ ପଲିସି। ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଯାଏଁ ପ୍ରତିବର୍ଷ ଉପର କ୍ଲାସକୁ ଉତ୍ତୀର୍ଣ୍ଣ ହେବେ ପ୍ରତ୍ୟେକ ଛାତ୍ରଛାତ୍ରୀ। ହେଲେ ଏହି ନିୟମରେ ସଂଶୋଧନ ଆଣିଛନ୍ତି ସରକାର।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି (ବୁଧବାର) ଜାରି ହୋଇଛି ନୂଆ ବିଜ୍ଞପ୍ତି। ନୂଆ ନିୟମ ଅନୁସାରେ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ହେବ। ଯଦି କୌଣସି ପିଲା ଏହି ପରୀକ୍ଷାରେ ଫେଲ୍ ହୁଅନ୍ତି, ତେବେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ପରୀକ୍ଷା ଫଳ ଘୋଷଣାର ୨ ମାସ ଭିତରେ ରି-ଏକଜାମିନେସନ୍ କରାଇବେ ସ୍କୁଲ କର୍ତ୍ତୃପକ୍ଷ। ଏହି ପୁନଃ-ପରୀକ୍ଷାରେ ପାସ୍ ହେଲେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସମ୍ପୃକ୍ତ ଛାତ୍ରଛାତ୍ରୀ। ତେବେ ରି-ଏକଜାମିନେସନରେ ଫେଲ୍ ହେଲେ, ସେହି ପିଲାଙ୍କୁ ପଞ୍ଚମ କିମ୍ବା ଅଷ୍ଟମ ଶ୍ରେଣୀରେ ଅଟକି ରହିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଲିମେଣ୍ଟାରି ଏଜୁକେସନ୍ ଅର୍ଥାତ୍ ଅଷ୍ଟମ ଶ୍ରେଣୀ ନସରିବା ଯାଏଁ, କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇପାରିବ ନାହିଁ। 

Advertisment

ଗତବର୍ଷ ଡିସେମ୍ବରରେ ଶିକ୍ଷା ଅଧିକାର ଆଇନରେ ସଂଶୋଧନ ଆଣି, ରାଜ୍ୟମାନଙ୍କୁ ଏଭଳି ନିୟମ ଲାଗୁ ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର। ଏହି ନୂଆ ନିୟମ ଲାଗୁ ହେଲେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଲ୍ ହେବା ଭୟ ରହିବ ଏବଂ ସେମାନେ ପାଠପଢ଼ା ପ୍ରତି ଅଧିକ ଯତ୍ନବାନ୍ ହେବେ ବୋଲି ଆଶା କରାଯାଉଛି। ତେବେ ପ୍ରଶ୍ନ ଉଠୁଛି, ସ୍କୁଲ ଶିକ୍ଷାରେ ଗୁଣବତ୍ତା ଆଣିପାରିବ କି ଏହି ନିୟମ ? ସରକାରୀ ସ୍କୁଲରେ ହ୍ରାସ ପାଉଥିବା ଶିକ୍ଷାଦାନ ମାନରେ ଏହା ସୁଧାର ଆଣିପାରିବ କି ? ଅଭିଭାବକ ସଂଘ ସଭାପତି କହିଛନ୍ତି, କେବଳ ପିଲାଙ୍କୁ ଫେଲ୍ କଲେ ଚଳିବ ନାହିଁ, ସେ କାହିଁକି ଫେଲ୍ ହେଲା, ସେନେଇ ଶିକ୍ଷକମାନେ ବି ଉତ୍ତରଦାୟୀ ହେବା ଉଚିତ।

Odisha Education Minister New Education Policy Nityananda Gond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ