BJP Politics
ନୂଆ ସଭାପତିଙ୍କୁ ନେଇ ଯୋଶରେ ରାଜ୍ୟ ବିଜେପି କ୍ୟାଂପ୍। ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବଂ ବୋର୍ଡ, ନିଗମରେ ନିଯୁକ୍ତି ନେଇ ଲବିରେ ଥିବା ନେତାଙ୍କ ଭିତରେ ବଢିଲା ଆଶା। ମନ୍ତ୍ରିମଣ୍ଡଳରେ କେଉଁ ଚେହେରାକୁ ସାମିଲ କରାଯିବ, ବୋର୍ଡ-ନିଗମରେ ନିଯୁକ୍ତି ପାଇଁ କଣ ରହିବ ଆଧାର, ତାକୁ ନେଇ ଏବେ ନାନା ଚର୍ଚ୍ଚା ଆଲୋଚନା ଆଉ କଳ୍ପନା ଜଳ୍ପନା ଲାଗି ରହିଛି।
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ତ୍ୱରାନ୍ୱିତ ହେବ ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି। ସଭାପତି ନିର୍ବାଚନ ପରେ ବଢିଲା ଚର୍ଚ୍ଚା। ପାୱାର କରିଡରରେ ହଲଚଲ୍। ଆଜି ରାଜ୍ୟ ସଭପତିଙ୍କ ପ୍ରତିକ୍ରିୟା ବି କିଛି ଏମିତି ଇସାରା ଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି ଥିବା ୬ଟି ସ୍ଥାନ ପୂରଣ ନେଇ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେବେ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରେସରେ ଥିବା ନେତାଙ୍କ ଭିତରେ ଆଗରେ ରହିଛି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି ପ୍ରମୁଖଙ୍କ ନାଁ। ଅନ୍ୟପଟେ ମନ୍ତ୍ରୀ ନଥିବା ଜିଲ୍ଲା କନ୍ଧମାଳ, କୋରାପୁଟ ଓ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ ମିଳିପାରେ। ଏହା ସହ କିଛି ମନ୍ତ୍ରୀଙ୍କର ବିଭାଗ ମଧ୍ୟ ବଦଳିବା ନେଇ ଚର୍ଚ୍ଚା ବଢିଛି।
ଅନ୍ୟପଟେ ବର୍ଷେ ହେଲା ଫାଙ୍କା ପଡ଼ିଥିବା ବୋର୍ଡ, ନିଗମ ଅଧ୍ୟକ୍ଷ ପଦବି ପୂରଣ ବି ଖୁବ୍ ଶୀଘ୍ର ହେବ ବୋଲି ଆଶା କରାଯାଉଛି। ଏହାରି ଭିତରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର ବୈଠକ ବି ବସିଛି। ପାଖାପାଖି ଦେଢ଼ ଶହ ନେତାଙ୍କୁ ନିଯୁକ୍ତି ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ତାକୁ ଖୁବ୍ ଶୀଘ୍ର ଚର୍ଚ୍ଚା ଆଲୋଚନା କରି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ସଭାପତି। ବର୍ଷେ ହେଲା ଏସବୁ ପଦବିରେ ଥଇଥାନ ପାଇଁ ଆଶା ରଖିଛନ୍ତି ଅନେକ ନେତା। କିଛି ନେତାଙ୍କୁ ରାଜ୍ୟ କମିଟି ଅର୍ଥାତ ସଂଗଠନ ଏବଂ କିଛି ନେତାଙ୍କୁ ବୋର୍ଡ-ନିଗମରେ ଥଇଥାନ କରାଯିବ। ତେବେ ତାର ଆଧାର କଣ ହେବ ତାକୁ ନେଇ ନେତାଙ୍କ ଭିତରେ ଚର୍ଚ୍ଚା ବଢିଛି। ଯୋଜନା ବୋର୍ଡ, ପାଖାପାଖି ୩୨ଟି ବୋର୍ଡ ଆଉ ନିଗମ, SDCରେ ଅଧ୍ୟକ୍ଷ ନିଯୁକ୍ତି କରାଯିବ। ଟିକେଟ ନନେଇ ଦଳ ପାଇଁ କାମ କରୁଥିବା ବିରଞ୍ଚି ତ୍ରିପାଠୀ, ସଜ୍ଜନ ଶର୍ମା, ଯତୀନ ମହାନ୍ତି, ଶାରଦା ଶତପଥୀ, ସୀମାଞ୍ଚଳ ଖଟେଇ, ସମୀର ରଞ୍ଜନ ଦାଶ, ଜୟନ୍ତ ଜେନା, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳ, ସୁଜିତ ଦାସଙ୍କ ନାଁ ଚର୍ଚ୍ଚା ହେଉଛି। ସେହିପରି ନିର୍ବାଚନ ଲଢ଼ି ହାରିଥିବା ଗୌତମ ରାୟ, ପ୍ରଦୀପ୍ତ ନାୟକ, କୁସୁମ ଟେଟେ, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ବଡ଼ ପଦବି ମିଳିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752082662.jpg)