/odishatv-khabar/media/post_attachments/uploadimage/library/16_9/16_9_0/Old_Man_1713782867.jpg)
Old Man
ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା। ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା। ପୁଅ ସିନା ପର କରିଦେଲା କିନ୍ତୁ ଆପଣେଇ ନେଲା ସଂପର୍କୀୟ ପୁତୁରା।
ଜୀବନରେ ଦୁଃଖ ଯେମିତି ତାଙ୍କର ବନ୍ଧୁ ସାଜିଛି। ବିବାହର ଦିନ କେଇଟା ପରେ ହଇଜାରେ ପଡି ସ୍ୱାମୀ ଆରପାରିକୁ ଚାଲିଗଲେ। ନିଜର କୌଣସି ସନ୍ତାନ ନଥିବା ଭାମା ନିସଙ୍ଗ ଜୀବନ ଜିଇଁବାକୁ ଲାଗିଲେ। କିଛି ଦିନ ପରେ ଜଣଙ୍କୁ ପାଳିତ ପୁଅ ଭାବେ ଗ୍ରହଣ କଲାପରେ ଜୀବନ ଗାଡି ଦୁଃଖ କଷ୍ଟେ ଆଗକୁ ଗଡେ। ପିଲାବେଳୁ ଯଶୋଦା ଭଳି ପୁଅକୁ ପାଳି ଆସିଥିବା ବେଳେ, ପୁଅ ବଡ଼ ହୋଇ ମାଆକୁ ଏକାକୀ ଛାଡି ଚାଲିଗଲା।
ଏଭଳି ସ୍ଥିତିରେ ଭଗବାନ ସାଜି ସହାୟତାର ହାତ ବଢାଇଲେ ସେହି ଗାଁ ର ସଂପର୍କୀୟ ପୁତୁରା ଅକ୍ଷୟ ଜେନା। ବୟସର ସାୟାହ୍ନରେ ଭଲକି ଦେଖାଯାଉନଥିବା ଏବଂ ଶୁଭୁନଥିବା ଭାମାଙ୍କୁ ଉଭୟ ସଂପର୍କୀୟ ପୁତୁରା ଓ ପୁତୁରା ବୋହୂ ମନ ପ୍ରାଣ ଦେଇ ସେବା କରୁଛନ୍ତି।
ଭାମାଙ୍କୁ ସରକାରୀ ସହାୟତା କହିଲେ କେବଳ ମିଳୁଛି ମଧୁବାବୁ ପେନସନ। ବର୍ଷେ ହେଲାଣି ରାସନ୍ କାର୍ଡରେ ମିଳୁଥିବା ଚାଉଳ ବି ବନ୍ଦ୍ ହୋଇଯାଇଛି । ଏ ନେଇ ବାରମ୍ବାର ଡିଲର ଠାରୁ ଵିଡିଓଙ୍କ ପର୍ଯ୍ୟନ୍ତ ପୁତୁରା ଅକ୍ଷୟ, ବହୁତ ଥର ବ୍ଲକ୍ କାର୍ଯ୍ୟାଳୟ ଯାଇଥିଲେ ବି ଯଥା ପୂର୍ବଂ ତଥା ପରଂ। ଏ ନେଇ ଚାନ୍ଦବାଲି ଏନଏସି ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିବା ପରେ, ଖୁବଶୀଘ୍ର ଖାଉଟି ସାମଗ୍ରୀର ସହାୟତା କେମିତି ପାଇବେ ସେ ନେଇ ବ୍ୟବସ୍ଥା କରିଵେ ବୋଲି କହିଛନ୍ତି ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ।
ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଭାମାଙ୍କ ବାକି ଜୀବନ ଭଲରେ କଟୁ। କଥାରେ ଅଛି ପରା ରଖେ ହରି ତ ମାରେ କିଏ ?
(ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)