ଭର୍ତ୍ତୃହରିଙ୍କ ଅଳିଆ ଉପାଖ୍ୟାନ; ସରଗରମ୍ ରାଜନୀତି, ଜେଲରେ ପୂରାଇବାକୁ ଦେବାଶିଷଙ୍କ ଆହ୍ୱାନ

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ ।

MP Bhartruhari Mahtab

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ । କହିଲେ ରାଜ୍ୟବ୍ୟାପି ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୁରାଇଲେ କୋଠରୀ ବି ଅଭାବ ପଡ଼ିଯିବ ।

ତେଣୁ ବଜେଟରେ ଜେଲ୍ ପାଇଁ ଅଧିକ ଅନୁଦାନର ବ୍ୟବସ୍ଥା ଦରକାର । ତାସହ ଶ୍ରୀମନ୍ଦିର ୪ ଦୁଆର ଏବଂ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ କାହାକୁ ବି ଛାଡ଼ିବା ଅନୁଚିତ ବୋଲି କହିଛନ୍ତି ଭର୍ତ୍ତୃହରି । ତେବେ ବିଜେଡି କହିଛି, ଭର୍ତ୍ତୃହରି ଆଗ ସ୍ପଷ୍ଟ କରନ୍ତୁ, ଅଳିଆ କିଏ ?

ନିଆରା ଅନ୍ଦାଜରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନିଶାନା... ମଞ୍ଚ ଉପରେ ଉଠାଇଲେ ଅଳିଆ ଗଦା ଉପାଖ୍ୟାନ... ରାଜ୍ୟବ୍ୟାପି ଅଳିଆ ଭର୍ତ୍ତି, ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ । ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୂରାଇଲେ ଅଭାବ ପଡ଼ିଯିବ କୋଠରୀ...

ସାରା ରାଜ୍ୟରେ ଥିବା ଅଳିଆ ଶୀଘ୍ର ସଫା କରିବା ଜରୁରୀ । ମଞ୍ଚ ଥିଲା କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହର ଉଦଯାପନୀ । ଯେଉଁ ମଞ୍ଚରେ ଅଭିଭାଷଣ ରଖି ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବ ବିଜେଡି ସରକାରକୁ ମାରିଲେ ତେରଛା ବାଣ ।

କହିଥିଲେ, କଟକ ଜିଲ୍ଲା ସାରା ପଡ଼ି ରହିଥିବା ଅଳିଆକୁ ସଫା କରିବା ଭିତରେ ବି ଆମକୁ ଆଗାମୀ ଭବିଷ୍ୟତ ଗଢ଼ିବାକୁ ହେବ । ଡ୍ରେନେଜ୍ ପାଇଁ ଆସୁଥିବା ଟଙ୍କାରେ କିଛି ବ୍ୟକ୍ତି ହାତ ଚିକ୍କଣ କରନ୍ତି । କିନ୍ତୁ ବାସ୍ତବରେ ଡ୍ରେନେଜ ବ୍ୟବସ୍ଥା ହୁଏ ନାହିଁ । ତେଣୁ ରାଜ୍ୟରେ ଯେଉଁମାନେ ଅଳିଆ କରୁଛନ୍ତି, ତାଙ୍କୁ ଧରି ଜେଲରେ ପୁରାଇବା ନା ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଥିଲେ ଭର୍ତ୍ତୃହରି ।

ଏଭଳି ବ୍ୟକ୍ତିଙ୍କୁ ଜେଲରେ ପୁରାଇଲେ କୋଠରୀର ବି ଅଭାବ ପଡ଼ିଯିବ । ତେଣୁ ବଜେଟରେ ଅଧିକ ଅନୁଦାନର ବ୍ୟବସ୍ଥା ହେବା ଦରକାର ବୋଲି ଭର୍ତ୍ତୃହରି କହିଥିଲେ । ସେହିପରି ରତ୍ନଭଣ୍ଡାର ଏବଂ ଶ୍ରୀମନ୍ଦିର ଚାରି ଦୁଆର ନଖୋଲିବା ନିଷ୍ପତ୍ତି ଜଣେ ନୁହଁ, ଅନ୍ୟମାନେ ବି ନେଇଥିଲେ ।

ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଛି କୁହାଯାଉଥିଲା । ପରେ ଡୁପ୍ଲିକେଟ୍ ଚାବି ମିଳିଲା । ଆଉ ଏବେ ପୁଣି ୩ଟି ଚାବି ଆସିଲା, ତା’ଭିତରୁ ୨ଟି ଚାବି ତାଲା ଭିତରେ ପଶିଲାନି । ତା’ହେଲେ ପୂର୍ବରୁ କ’ଣ ଚାଲିଥିଲା ବୋଲି ଭର୍ତ୍ତୃହରି ପ୍ରଶ୍ନ ଉଠାଇବା ସହ ଏମାନଙ୍କୁ ଛାଡ଼ିଦେବା ଉଚିତ ନୁହଁ ବୋଲି କହିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ମଞ୍ଚରେ କହିଛନ୍ତି, ଯେଉଁମାନେ ଅଳିଆ କରିଛନ୍ତି, ସେମାନଙ୍କୁ ସରକାର ଛାଡ଼ିବେନି । ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଭର୍ତ୍ତୃହରିଙ୍କ ଏଭଳି ନିଶାନା ସହ ଅଳିଆ ସଫା ଉପାଖ୍ୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।

କହିଛନ୍ତି, ଭର୍ତ୍ତୃହରି କାହାକୁ ଇଙ୍ଗିତ କରି ଅଳିଆ କଥା କହିଛନ୍ତି ସେ ଜାଣିଥିବେ । ସେ ଏତେବର୍ଷ ଧରି ବିଜେଡିରେ ଥିଲେ, ସେତେବେଳେ ଅଳିଆ କଥା କହିଥିଲେ ଭଲ ହୋଇଥାନ୍ତା । ଯଦି ଅଳିଆ ଥିବ ବା ଦୁର୍ନୀତି କଥା କହୁଥିବେ, କେନ୍ଦ୍ର ଓ ରାଜ୍ୟରେ ତାଙ୍କ ସରକାର ଥିବାରୁ ତଦନ୍ତ କରି ଅଳିଆକୁ ଜେଲରେ ପୁରାନ୍ତୁ ।

ଏଭଳି ଅବାନ୍ତର ପ୍ରସଙ୍ଗ ନ ଉଠାଇ ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ ବୋଲି କହିଛନ୍ତି ଦେବାଶିଷ । ଖଣି, ପାଣିଠୁଁ ଆରମ୍ଭ କରି ଜଙ୍ଗଲ ଜମି ଯାଏଁ, ମାଳ ମାଳ ଦୁର୍ନୀତି ଏବଂ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି ତତ୍କାଳୀନ ୨୪ ବର୍ଷର ଶାସକ ବିଜେଡି ବିରୋଧରେ । ଏଭଳି ସ୍ଥିତିରେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରେ ହଲଚଲ୍ ରାଜ୍ୟ ରାଜନୀତି ।