Subhadra Shakti Mela: କାଲିଠୁ ରାଜଧାନୀରେ 'ସୁଭଦ୍ରା ଶକ୍ତି ମେଳା', ବଦଳିଯିବ କି ମିଶନ ଶକ୍ତି ନାଁ ?

ଆଗାମୀ ଦିନରେ ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ହୋଇପାରେ ସୁଭଦ୍ରା ଶକ୍ତି । ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଛି ଏଭଳି ସଙ୍କେତ ।

ସୁଭଦ୍ରା ଶକ୍ତି ମେଳା

ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ଆଗାମୀ ଦିନରେ ସୁଭଦ୍ରା ଶକ୍ତି ନାମରେ ନାମିତ ହୋଇପାରେ । ଏନେଇ ପରୋକ୍ଷ ଭାବେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ରାଜ୍ୟ ସରକାର ମିଶନ ଶକ୍ତି ପୁନର୍ଗଠନ ପାଇଁ ଅଣ୍ଟା ଭିଡିଥିବାବେଳେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ 'ସୁଭଦ୍ରା ଶକ୍ତି ମେଳା' ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀରୁ ମିଶନ ଶକ୍ତି ନାଁ ପରିବର୍ତ୍ତନର ସଙ୍କେତ ମିଳିଛି । 

ଅଧିକ ପଢନ୍ତୁ: ମିଶନ ଶକ୍ତି ପାଇଁ କମ୍ପିଲା ଗୃହ

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ଏନେଇ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, SHG ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ 'ସୁଭଦ୍ରା ଶକ୍ତି ମେଳା' । ଫେବ୍ରୁଆରୀ ୨୨ (ଆସନ୍ତାକାଲି)ଠାରୁ ଜନତା ମଇଦାନରେ ଲକ୍ଷପତି ଦିଦି 'ସୁଭଦ୍ରା ଶକ୍ତି ମେଳା' ଆରମ୍ଭ ହେବ । ଏହା ମାର୍ଚ୍ଚ 2 ତାରିଖ ଯାଏଁ ଚାଲିବ । 

ରାଜ୍ୟ ସରକାରଙ୍କ ଏହା ପ୍ରଥମ 'ସୁଭଦ୍ରା ଶକ୍ତି ମେଳା' । ମାର୍ଚ୍ଚ ୨ ପର୍ଯ୍ୟନ୍ତ ୯ ଦିନି ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥ‌ିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌) ଏବଂ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିବେ ।  ୩୦୦ ରୁ ଅଧ‌ିକ ଷ୍ଟଲରେ ପ୍ରାୟ ୭୦୦ SHG ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ ଜିନିଷ ବିକ୍ରି କରିବେ ।  ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖ‌ିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । 

ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥ‌ିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବେ, ଯାହା ସେମାନଙ୍କର ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

କହିରଖୁଛୁ କି, ନିକଟରେ ରାଜ୍ୟ ସରକାର ମିଶନ ଶକ୍ତି ବିଭାଗର ପୁନର୍ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ । ମିଶନ ଶକ୍ତି ଅଧିନରେ ଥିବା ସମସ୍ତ ପ୍ରଶାସନିକ ସଂଗଠନ, କାର୍ଯ୍ୟକାରୀ କମିଟି ଓ ସବ-କମିଟିର ପର୍ଯ୍ୟାୟକ୍ରମେ ପୁନର୍ଗଠନ ହେବ । ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ । ଏପରି ସ୍ଥଳେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୁଭଦ୍ରା ଶକ୍ତି ମେଳା ଘୋଷଣା ରାଜ୍ୟରେ ମିଶନ ଶକ୍ତିର ନାମ ପରିବର୍ତ୍ତନ ଆଡକୁ ସୂଚୀତ କରୁଛି ।