Advertisment

ଭୁଶୁଡ଼ିଗଲାଣି ରଙ୍ଗମରା କାନ୍ଥ, ପାଣି ଭଳି ଖର୍ଚ୍ଚ ପରେ ବି କାମକୁ ନୁହଁ 5T ସ୍କୁଲ୍ !

ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।

undefined

5T School

Advertisment

ଆଉ ନାହିଁ ସେହି ରଙ୍ଗ.. ଆଉ ନାହିଁ ସେହି ଚାକଚକ୍ୟ। କାନ୍ଥ ଫାଟି ଆଁ କରିଛି। ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। କେବଳ କାନ୍ଥବାଡ଼ ନୁହଁ, ଭାଙ୍ଗିରୁଜି ଧରାଶାୟୀ ହୋଇଛି କ୍ଲାସରୁମ୍ । ଆଉ ଇ-ଲାବୋରାଟୋରୀ ରୁମ୍ କଥା ତ ନକହିବା ଭଲ। ନା ପିଲାଙ୍କ କାମରେ ଆସୁଛି ନା ନିୟମିତ ପାଠ ପଢ଼ାଯାଉଛି। ୟେ ପୁଣି ଫାଇଭ୍-ଟି ସ୍କୁଲ। କେନ୍ଦ୍ରାପଡ଼ା ଜିଲ୍ଲା ଖଡ଼ିଅଣ୍ଟା ଉଚ୍ଚବିଦ୍ୟାଳୟର ଦେଖିବାକୁ ମିଳିଛି ଦୂରାବସ୍ଥା ।

Advertisment

ସମାନ ଚିତ୍ର ଦକ୍ଷିଣେଶ୍ୱର ହାଇସ୍କୁଲରେ ମଧ୍ୟ ଦେଖିବାକୁ ମିଳିଛି । ଭଙ୍ଗା ଅବସ୍ଥାରେ ଫିଙ୍ଗା ହୋଇପଡ଼ିଛି ଟେବୁଲ ବେଞ୍ଚ। କାମ କରୁନି ସ୍ମାର୍ଟ LED। ନୂଆ କ୍ଲାସରୁମ୍ ନିର୍ମାଣ ନକରି ସେହି ପୁରୁଣା କାନ୍ଥରେ ରଙ୍ଗ ମାରି ଶ୍ରାଦ୍ଧ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ଏଣେ ଗତ ୨ ବର୍ଷ ହେଲା, ଦୋସିଆ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ବିଦ୍ୟାପୀଠ ଶୌଚାଳୟର ନା ନିର୍ମାଣ କାମ ସରୁଛି ନା ସ୍କୁଲକୁ ହସ୍ତାନ୍ତର କରାଯାଉଛି। ଏଭଳି ଭାବେ ଜିଲ୍ଲାର ବହୁ ସ୍କୁଲରେ ନିମ୍ନମାନର କାମ କରି କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଏବଂ ଛାତ୍ରଛାତ୍ରୀ l

ରାଜ୍ୟରେ ଶିକ୍ଷାନୁଷ୍ଠାନ ଭିତ୍ତିଭୂମିର ବିକାଶ ନାଁରେ ଏଭଳି ଚୁନମରା ଦୁର୍ନୀତି ଏହା ଥିଲା ଭାତହାଣ୍ଡିରୁ ଗୋଟିଏ । ସେପଟେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଦୁର୍ଦ୍ଦଶାର କଥା ନକହିବା ଭଲ । ଲମତାପୁଟ ବ୍ଳକ ଅନକାଡେଲି ଫାଇଭ୍-ଟି ସରକାରୀ ହାଇସ୍କୁଲର ସିଲିଂ ଖସିଗଲାଣି ବର୍ଷା ମାଡ଼ରେ। ଫଳରେ ନଷ୍ଟ ହୋଇଯାଇଛି ଶିକ୍ଷଣୀୟ ସାମଗ୍ରୀ। ମାଲକାନଗିରି ପେଡ଼ାକୋଣ୍ଡା ହାଇସ୍କୁଲର ରୂପାନ୍ତରୀକରଣକୁ ବର୍ଷେ ବି ପୁରିନି। ଉଡ଼ିଗଲାଣି ଟିଣ ଛପର, ଛାତରୁ ପାଣି ଗଳୁଛି। ରଙ୍ଗର ଧଜ୍ଜିଆ ଉଡ଼ି ମାଡ଼ିଗଲାଣି ଶିଉଳି। ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଧର୍ମକୁ ଆଖିଠାର ଭଳି କେମିତି ମରାମତି କରାଯାଇଛି।

Advertisment

ସେପଟେ ଉମରକୋଟ ବ୍ଲକ ଅଞ୍ଚଳା ଗାଁର ସଂଗ୍ରାମୀ ବାଳୀ ପୂଜାରୀ ହାଇସ୍କୁଲ। 5T ଅଧୀନରେ ନୂଆ କୋଠା ପାଇଁ ଆସିଥିଲା ୬୦ ଲକ୍ଷ ଟଙ୍କା। ଖର୍ଚ୍ଚ ବି ହେଲାଣି ୫୫ ଲକ୍ଷ। ଅଥଚ ନା ପାଚେରୀ ଅଛି, ନା ସାଇକେଲ ଷ୍ଟାଣ୍ଡ ଅଛି, ନା ଲାଇବ୍ରେରୀ ଅଛି ନା ଶୌଚାଳୟ ଅଛି। ଯାହା କିଛି କାମ ହୋଇଛି, ତାହା ବି ଉପରଠାଉରିଆ। ବଡ଼ବାସିନୀ ସ୍କୁଲର ଭିତ୍ତିଭୂମି ପାଇଁ ଲକ୍ଷାଧିକ ଟଙ୍କା ବି ବିନିଯୋଗ ହୋଇଛି। କିନ୍ତୁ ଚାରିଆଡ଼େ ଭଙ୍ଗାରୁଜା । ତେଣୁ ଚୂନ ମାରି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍କୁଲ ଶିକ୍ଷକ। 

ବିଜେଡି ସରକାର ସମୟରେ ୨୦୧୯ରୁ ଆରମ୍ଭ ହୋଇଥିବା 5T ଯୋଜନାରେ ୫ ବର୍ଷ ଭିତରେ ୬ହଜାର ୮୭୨ଟି ହାଇସ୍କୁଲର ଭିତ୍ତିଭୂମିର ବିକାଶ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ବ୍ୟୟ ବରାଦ ଥିଲା ୩ ହଜାର ୪ଶହ ୧୧ କୋଟି, ପାଣି ଭଳି ଖର୍ଚ୍ଚ ବି କରାଗଲା। କିନ୍ତୁ ୫ ବର୍ଷ ବି ଗଲାନି। ଉପାନ୍ତରୁ ଉପକୂଳ ଯାଏଁ ଭୁଶୁଡ଼ି ପଡ଼ିଛି ସ୍କୁଲ ଭିତ୍ତିଭୂମି। ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଏହାର ତଦନ୍ତ କରାଯିବ।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ