ଏବେ ଉଠୁଛି ପଡୁଛି, ଚାଷ-ଚାଷୀଙ୍କ କଥା ଓ ବ୍ୟଥା । ରାଜନୀତିର କେନ୍ଦ୍ର ପାଲଟିଛି ଧାନମଣ୍ଡି । ମଣ୍ଡି ବୁଲୁଛନ୍ତି ଉଭୟ ସରକାରୀ ଓ ବିରୋଧି ନେତା । ବଲାଙ୍ଗିରର ଦୃଶ୍ୟ ଆହୁରି ଟିକିଏ ରୋଚକ । କାରଣ ମଣ୍ଡିରେ ରାଜା । ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ ଓ କାକା ପୁଅ ଭାଇ ଲାଲସାହେବ କଳିକେଶ ନାରାୟଣ ସିଂଦେଓଙ୍କ ଟାର୍ଗେଟରେ ମଣ୍ଡି । କଳିକେଶଙ୍କ ଅଭିଯୋଗର ଲମ୍ବା ତାଲିକା । କିନ୍ତୁ କେ.ଭି କହୁଛନ୍ତି ସବୁ ଠିକଠାକ ଚାଲିଛି । ଦୁଇ ଭାଇଙ୍କ ପ୍ୟାକ୍ସ ପଲିଟିକ୍ସକୁ ନେଇ ବଲାଙ୍ଗିରରୁ ଆମର ଏହି ରିପୋର୍ଟ...
ବଲାଙ୍ଗିର ବିଧାୟକ ତଥା ଶୈଳଶ୍ରୀ ପ୍ୟାଲେସର ଲାଲସାହେବ କଳିକେଶ ନାରାୟଣ ସିଂଦେଓଙ୍କ ସମୀକ୍ଷା ବୈଠକ । ଧାନ କିଣାବିକାକୁ ନେଇ କିଛି ପ୍ୟାକ୍ସ ସଭାପତି ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ, ଅତିରିକ୍ତ ଜିଲ୍ଳାପାଳ ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଥିଲେ କଳିକେଶ । ଫଟା ଅଖାବସ୍ତା ଦେଖାଇ, ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅବସ୍ଥା ବଖାଣିଥିଲେ କଳିକେଶ । ଅଖାବସ୍ତାରେ ଧାନ ଲିଫ୍ଟିଂର ସରକାରୀ ନିୟମ ଥିଲେ ବି, ଜରି ବସ୍ତାରେ ଧାନ ଉଠାଇବା ପାଇଁ ସଂପୃକ୍ତ ମିଲର୍ସ ମାନଙ୍କୁ ବୈଠକରୁ ଯୋଗାଣ ଅଧିକାରୀଙ୍କ ଦ୍ବାରା ଫୋନ କରାଇଥିଲେ କଳିକେଶ । ଏତିକିରେ ମନ ମାନିନଥିଲା, ସକାଳୁ ସକାଳୁ ଦଳବଳ ଧରି ମଣ୍ଡିରେ ପହଞ୍ଚିଥିଲେ ଲାଲସାହେବ କଳିକେଶ ନାରାୟଣ ସିଂଦେଓ ।
ଦୀର୍ଘ ସମୟ ଧରି ମଣ୍ଡିରେ ବସି, ସ୍ପଟ ଉପରୁ ଦାୟିତ୍ବରେ ଥିବା ଯୋଗାଣ ଅଧିକାରୀଙ୍କୁ ଜରିବସ୍ତାରେ ଥିବା ଧାନ ଉଠାଇବା ପାଇଁ ବିଭିନ୍ନ ମିଲର୍ସଙ୍କୁ ଫୋନ କରାଇଥିଲେ । ଅନ ଦି ସ୍ପଟରୁ ମଧ୍ୟ ମିଲର୍ସଙ୍କ ସହିତ କଥା ହୋଇଥଇଲେ ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ରାଉତ । ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇ କଳିକେଶ କହିଛନ୍ତି, ବିନା କଟନୀ ଛଟନୀରେ ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ ଜିଲ୍ଳା ପ୍ରଶାସନକୁ କଡା ନିର୍ଦେଶ ଦେଇଛି । ଚାଷୀଙ୍କୁ ହଇରାଣ କରାଗଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଏହି ଅବସରରେ କଳିକେଶ ଚେତାବନୀ ଦେଇଛନ୍ତି।ସେପଟେ ବିଧାୟକଙ୍କ କଥା ଅନୁଯାୟୀ କାମ କରିବୁ ବୋଲି କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ ।
Also Read
ସେପଟେ ଖୋଦ ପାଟଣା ମହାରାଜ ତଥା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ମଣ୍ଡିରୁ ମଣ୍ଡି ବୁଲୁଛନ୍ତି । କେତେ ସି.ସି.ଟିଭି ଲାଗିଛି ? କେଉଁଠି କେଉଁଠି ଲାଗିଛି ? ବିନା କଟନୀ ଛଟନୀରେ ଧାନ ଉଠାଉଛନ୍ତି ନା ନାହିଁ ? ପ୍ୟାଡି ଆନାଲାଇଜର ମେସିନ ଠିକ କାମ ଦେଉଛି ନା ନାହିଁ ? କଣ ହେଉଛି ଚାଷୀଙ୍କ ଅସୁବିଧା ? ଗ୍ରାଉଣ୍ଡ ଜିରୋରେ ଏସବୁ ବୁଝୁଛନ୍ତି ମହାରାଜ । କିଛି ଭୁଲ୍ଭାଲ୍ ଦେଖିଲେ ତାଗିଦ ବି କରୁଛନ୍ତି ।
ତେବେ ଏଠାରେ ସୂଚନା ଯୋଗ୍ୟ ଜିଲ୍ଳାରେ ୧୭୬ ଟି ମଣ୍ଡି ପାଇଁ ଅଛି ମାତ୍ର ତିନୋଟି ପ୍ୟାଡି ଆନାଲାଇଜର ମେସିନ ଓ ୭ରୁ ୮ ଟି ପ୍ୟାଡି କ୍ଳିନର ମେସିନ । ତେଣୁ ସବୁ ମଣ୍ଡିକୁ ଯାଇ ଧାନ ସଫା କରି ଏଫ.ଏ.କ୍ୟୁ କରିବା କିମ୍ବା ଧାନର ମାନ ନିର୍ଦ୍ଧାରଣ କରିବା ସମ୍ଭବ ହେଉନାହିଁ । ସେପଟେ ଚାଷୀ ନେତାଙ୍କ ଅଭିଯୋଗ, ଏଥର ଜରିବସ୍ତାରେ ମିଲର୍ସମାନେ ଧାନ ଉଠାଉନାହାଁନ୍ତି। ଏ ବାବଦରେ ଜିଲ୍ଳାପାଳଙ୍କୁ ବି ଅବଗତ କରାଯାଇଇଛି । ଜିଲ୍ଳାପାଳ ଚାଷୀଙ୍କ ସୁବିଧା ପାଇଁ ପଦକ୍ଷେପ ନେବେ ବୋଲି ହିତାଧିକାରୀମାନେ ଆଶା ରଖିଛନ୍ତି । ଯଦିଓ ଜିଲ୍ଳାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, ମୁଖ୍ୟ ଯୋଗାଣ ଅଧିକାରୀ କହୁଛନ୍ତି, ଜରିବସ୍ତାରେ ଥିବା ଧାନ ଉଠାଇବା ପାଇଁ ଆମେ ବିଚାର କରୁଛୁ । କିନ୍ତୁ କେ.ଭି କହିଛନ୍ତି ସବୁ ଠିକ୍ଠାକ୍ ଚାଲିଛି ।