ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଦିନ ମଜୁରିଆ

୧୯୯୭ ମସିହାରେ ଫୁଲ ପଦ୍ମପୁର ବ୍ଲକରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ଆଜି ହାତରେ କ୍ଷମତା ନାହିଁ ବୋଲି ସେ ଅଲୋଡା ହୋଇପଡିଛନ୍ତି ।

Former Block Chairman

ଦିନେ ବ୍ଲକ ଅଧ୍ୟକ୍ଷା ଥିବା ଲୋକଟି ଆଜି ପାଲଟିଯାଇଛି ଦିନ ମଜୁରିଆ । ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉଥିବା ମଣିଷଟି ଆଜି ନିଜେ ସେହି ଯୋଜନାକୁ ଅନାଇ ବସିଛି । ସମୟଚକ୍ରରେ ସେ ଆଜି ସମସ୍ତଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି । ପରିଣତ ବୟସରେ ପେଟ ପୋଷିବା ପାଇଁ ମୂଲ ଲାଗୁଛନ୍ତି ।

ଆମେ କହୁଛୁ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଚିନ୍ତାଲଗୁଡା ଗ୍ରାମର ଫୁଲ ଶବରଙ୍କ କଥା । ୧୯୯୭ ମସିହାରେ ଫୁଲ ପଦ୍ମପୁର ବ୍ଲକରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । ନିଜ କାର୍ଯ୍ୟକାଳ ଭିତରେ ସେ ଲୋକଙ୍କୁ ଅନେକ ସହାୟତା କରିଛନ୍ତି । କିନ୍ତୁ ଆଜି ହାତରେ କ୍ଷମତା ନାହିଁ ବୋଲି ସେ ଅଲୋଡା ହୋଇପଡିଛନ୍ତି ।

୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ବ୍ଲକ ଅଧକ୍ଷା ଥିଲେ ଫୁଲ । ସେତେବେଳେ ଅନେକ ନେତା ମନ୍ତ୍ରୀଙ୍କ ସହ ସେ ମିଟିଂ କରୁଥିଲେ । ତାଙ୍କ ଘର ସାମ୍ନାରେ ସମିତି ମେମ୍ବରଠାରୁ ଆରମ୍ଭ କରି ବହୁତ ଲୋକଙ୍କ ଭିଡ ଜମୁଥିଲା । ହେଲେ ଏବେ ସେସବୁ ସ୍ୱପ୍ନ । ଆଜି ଭଙ୍ଗା ଦଦରା ଘରେ ତାଙ୍କ ଦିନ କଟୁଛି । ହେଲେବି ପରିଣତ ବୟସରେ ସେ କାହା ଉପରେ ବୋଝ ନ ହୋଇ, ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ଯାଆନ୍ତି ମୁଲ ଲାଗିବାକୁ । ଯାହା କିଛି ରୋଜଗାର ହୁଏ ସେଇଥିରେ ଗୁଜୁରାଣ ମେଣ୍ଟେ ।

କ୍ଷମତା ସମୟରେ ସେ ନିଜ ପାଇଁ କିଛି ନକରି ଲୋକଙ୍କ ସେବା କରୁଥିଲେ । କିଏ ବିଶ୍ୱାସ କରିବ ଅନ୍ୟ ପାଇଁ ଏତେ କରିଥିବା ଲୋକ ଆଜି ବଞ୍ଚିବା ପାଇଁ ହାତ ପତାଇବ । ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଏପରି ଅଣଦେଖା ଗଣତନ୍ତ୍ରକୁ ଉପହାସ କରିବା ସଦୃଶ୍ୟ । ନିଜ ସ୍ୱାର୍ଥ ହାସଲ ହେଲା ପରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିବା ନିଶ୍ଚିତ ଭାବେ ସମାଜକୁ ଖରାପ ବାର୍ତ୍ତା ଦେଉଛି ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି l