କାଳ ସାଜିଲା ବଜ୍ରପାତ । ଗୋଟିଏ ପଟେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟପଟେ ତାଣ୍ଡବ ରଚିଲାଣି ବଜ୍ରପାତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ପର୍ଡିଗୁଡ଼ା ଗାଁରେ କାଳ ସାଜିଲା କାଳବୈଶାଖୀ । ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ କାରଣରୁ ଏପରି ଅଘଟଣ ଘଟିଯାଇଛି ।
ବଜ୍ରଘାତରେ ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ତେବେ ଭୁବନେଶ୍ବର ଓ କଟକକୁ କାଳବୈଶାଖୀ ବର୍ଷା ନେଇ କିଛି ଘଣ୍ଟା ପାଇଁ ଆଲର୍ଟ ଜାରି ହୋଇଛି । ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର ଓ ଗଞ୍ଜାମ ଆଦି ୭ ଜିଲ୍ଲାକୁ ୨ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।