ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିବା କୌଶିକ ପଟ୍ଟନାୟକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD । ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ବଦଳି ହୋଇଥିବା ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ବିଡିଓ ଓ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଗରୁ କେନ୍ଦୁଝର ଜିଲ୍ଲାର ଅନେକ ଅଫିସରଙ୍କୁ ବଦଳି କରାଯାଇଥିଲା । ଏବେ କୌଶିକଙ୍କୁ ନୂତନ ନିଯୁକ୍ତି ମିଳିଛି । ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ହେଉଛି କେନ୍ଦୁଝର ।