ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଭଲ ରାସ୍ତା ନ ଥିବାରୁ ଉଜୁଡ଼ି ଗଲା କୋଳ

ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ହିଁ ଚାଲିଗଲା ଛୁଆର ଜୀବନ ।

Infant dead

ଆଦିବାସୀ ଇଲାକାରେ ଥମୁନି ଜନନୀ ଯନ୍ତ୍ରଣାର ଦୁଃଖ । ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ପଶି ପାରୁନି ଆମ୍ବୁଲାନ୍ସ । ଫଳରେ ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ ଓ ନବଜାତ। ଏପରିକି ରାସ୍ତା ନ ଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନ ପାଇ ଅସମୟରେ ଆଖି ବି ବୁଜି ଦେଉଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଖରସାଳି ଗାଁରେ ଘଟିଛି ।

ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଖରସାଳି ଗାଁରେ ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ଆଉ ଦୁନିଆ ଦେଖିବା ଆଗରୁ ମାଆ ପେଟରେ ହିଁ ଚାଲିଗଲା ଛୁଆର ଜୀବନ । ଖରଶାଳି ଗାଁର ରଥି କିସାନଙ୍କ ପନୀ ପ୍ରମିଳା କିସାନ ୭ ମାସର ବର୍ଭବତୀ ଥିଲେ । ହଠାତ ତାଙ୍କ ପ୍ରସବ ବେଦନା ହୋଇଥିଲା, ଏଥିପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ କରିଥିଲେ ଘର ଲୋକେ । ଆମ୍ବୁଲାନ୍ସ ଆସିଥିଲା ହେଲେ ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିନଥିଲା ।

ପରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇ ମେଡିକାଲ ନିଆ ଯାଇଥିଲା । ମାତ୍ର ସେଠାରେ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ପୀଡିତାଙ୍କୁ ସହାୟତା ପ୍ରଦାନ ସହ ଗ୍ରାମ ଉନ୍ନୟନ ବିଭାଗକୁ କହି ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ବିଡିଓ ।

ସେପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା। ସ୍ଥାନୀୟ ସମ ବଡ଼ପଦର ପାଞ୍ଚଯାତ ମେଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଆଉ ଏକ ବିକଳ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ନ ଆସିବାରୁ କାଦୁଅ ପଚ୍ ପଚ୍ ରାସ୍ତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ପରେ ଗର୍ଭବତୀଙ୍କୁ ଜାନବାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ କନ୍ୟା ସୁସ୍ଥ ଥିବା ଡାକ୍ତର କହିଛନ୍ତି ।