Advertisment

Mohan Majhi Government: ବିଜେପି ସରକାରକୁ ବର୍ଷେ ପୂରିଲା, କେତେ ଜୋରରେ ଦୌଡୁଛି ବିକାଶ ?

ଯେତେବେଳେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀଙ୍କର ଶପଥ ଗ୍ରହଣ ସମାରୋହ ଚାଲିଥିଲା, ସେତେବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ସୁବାଇ ଅଂଚଳରେ ଝାଡାବାନ୍ତି ବ୍ୟାପିଥିଲା। ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା, ବୃଦ୍ଧ ଆକ୍ରାନ୍ତ ହୋଇଥିଲେ। ଆଜି ଯେତେବେଳେ ସରକାର ବାର୍ଷିକ ପୂର୍ତ୍ତି ସମାରୋହ ପାଳନ କରୁଛନ୍ତି, ସେହି ସମୟରେ ଅଣାୟତ୍ତ ଝାଡାବାନ୍ତି ହଇଜା ରୂପ ଧାରଣ କଲାଣି।

ଅଦ୍ୟତନ ହୋଇଛି
Mohan Majhi Govt After 1 Year

Mohan Majhi Govt After 1 Year

Advertisment

ଓଡିଶାରେ ପ୍ରଥମ କରି ବିଜେପି ସରକାର ଗଠନ କରିବା ଏବଂ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ଖବର ଯେତେବେଳେ ପ୍ରକାଶ ପାଇଲା, ରାଜ୍ୟବାସୀଙ୍କ ରାଡାରକୁ ଆସିଯାଇଥିଲେ ନୂଆ ସରକାର ! ଦୀର୍ଘ ୨୪ ବର୍ଷର ଏକ ଧାରାରେ ପରିବର୍ତ୍ତନ ପରେ ଲୋକଙ୍କ ମଧ୍ୟରେ ନୂଆ ଆଶାର କିରଣ ଜାଗ୍ରତ ହୋଇଥିଲା। ଜୁନ ୧୨ ତାରିଖ ୨୦୨୪, ଶପଥ ଗ୍ରହଣ ସମାରୋହକୁ ଯିବା ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯିବାବେଳେ ଭାବୀ ମୁଖ୍ୟମନ୍ତ୍ରୀ ରାସ୍ତାରେ ସାଧାରଣ ଲୋକଙ୍କୁ ଭେଟି ଗୋଟି ଗୋଟି କରି ସବୁ ସମସ୍ୟା ଦୂର କରିବାର ଯେଉଁଭଳି ପ୍ରତିଶ୍ରୁତି ଦେଉଥିଲେ ଭିନ୍ନ ଏକ ଉତ୍ସାହଜନକ ପରିବେଶ ସୃଷ୍ଟି ହୋଇଥିଲା।

Advertisment

ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଜାଗ୍ରତ ହୋଇଥିଲା ଯେ, “ଆଉ କିଛି ଅସୁବିଧା ନାହିଁ, ଏଥର ସବୁ ଠିକ୍ ଠାକ୍ ହୋଇଯିବ।” ଯଦିଓ ସରକାର ବର୍ଷକ ଭିତରେ ତାଙ୍କର ପ୍ରାୟ ସବୁ ପ୍ରତିଶ୍ରୁତି ପୂରଣ କରି ସାରିଲେଣି, ତଥାପି ଆଜି ବର୍ଷକ ପରେ, ସରକାର ଲୋକଙ୍କ ମୌଳିକ ସୁବିଧାକୁ କେତେ ଗୁରୁତ୍ୱ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ପଚାରିଲେଣି ସାଧାରଣ ଲୋକ। ବିରୋଧୀ ପ୍ରଶ୍ନ କଲେଣି। ନାମ ଓ ରଙ୍ଗ ପରିବର୍ତ୍ତନକୁ ନେଇ ସରଗରମ ସମାଲୋଚନା। ଯାହାକୁ ନେଇ ରଙ୍ଗୀନ ହେଉଛି ରାଜନୀତି କିନ୍ତୁ ବିକାଶର ରଙ୍ଗ ଗାଢ଼ ହେବାକୁ ଆହୁରି ଅନେକ ସମୟ ବାକି ରହିଯାଇଛି। 

ଭୁବନେଶ୍ୱରର ଜନତା ମୈଦାନରେ ଯେତେବେଳେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀଙ୍କର ଶପଥ ଗ୍ରହଣ ସମାରୋହ ଚାଲିଥିଲା, ସେତେବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସୁବାଇ ଅଂଚଳରେ ଝାଡାବାନ୍ତି ବ୍ୟାପିଥିଲା। ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା, ବୃଦ୍ଧ ଆକ୍ରାନ୍ତ ହୋଇଥିଲେ। ଆଜି ଯେତେବେଳେ ସରକାର ବାର୍ଷିକ ପୂର୍ତ୍ତି ସମାରୋହ ପାଳନ କରୁଛନ୍ତି, ସେହି ସମୟରେ ଅଣାୟତ୍ତ ଝାଡାବାନ୍ତି ହଇଜା ରୂପ ଧାରଣ କଲାଣି। ଗୋଟିଏ ଜିଲ୍ଲାରୁ ରାଜ୍ୟର ୫ଟି ଜିଲ୍ଲାକୁ ମାଡି ଗଲାଣି।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ, ଏଇଠି ଦେବେ ଉଦବୋଧନ

ସପ୍ତାହକ ମଧ୍ୟରେ ୧୫୦୦ରୁ ଅଧିକ ଆକ୍ରାନ୍ତ ଓ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସାଧନ ଲାଗିବା ସହିତ କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ପରଖିଲା। ଏବେବି ଡାଇରିଆକୁ ନେଇ ଗମ୍ଭୀର ଓ ଚିନ୍ତାଜନକ ସ୍ଥିତି ଲାଗି ରହିଛି। ଯାଜପୁର ପରେ କେନ୍ଦୁଝର, ଭଦ୍ରକ, କଟକ, ବରଗଡ ଓ ଢେଙ୍କାନାଳ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ। ଏଭଳି ସମୟରେ ପାନୀୟ ଜଳଉତ୍ସ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି କେତେ ସ୍ୱାସ୍ଥ୍ୟକର ଓ ସୁଦୃଢ?

Advertisment

ସରକାର କ୍ଷମତାକୁ ଆସିବା ପରେ, କୋରାପୁଟ ଏବଂ ଅନ୍ୟ ଜିଲ୍ଲାଗୁଡିକରେ ଡାଇରିଆ ସ୍ଥିତିକୁ ଗୁରୁତ୍ୱର ସହିତ ନେଇ ଦୃଢ ପଦକ୍ଷେପ ନେଇଥିଲେ ହୁଏତ ରାଜ୍ୟରେ ଆଜିକାର ଗମ୍ଭୀର ପରିସ୍ଥିତିକୁ ଏଡାଇ ଦିଆଯାଇପାରିଥାନ୍ତା। ବର୍ଷ ତମାମ ସମ୍ପୃକ୍ତ ଜିଲ୍ଲାଗୁଡିକରେ ପାନୀୟ ଜଳ ସଂକଟ ସତ୍ତ୍ୱେ ସରକାର ଏହାର ସମାଧାନକୁ ସୁନିଶ୍ଚିତ କରିପାରିଲେ କି? ଆଜି ବି ଓଡିଶାର ଅନେକ ସ୍ଥାନରେ ପିଇବା ପାଣିର ଉତ୍କଟ ସମସ୍ୟା କାରଣରୁ ଲୋକେ ଦୂଷିତ ପାଣି ପିଇ କାଳକାଟୁଥିବା ଖବର ସାମ୍ନାକୁ ଆସୁଛି। ଖଣି ଅଂଚଳ ଏବଂ ଏହାର ଆଖପାଖ ଗ୍ରାମଗୁଡିକରେ ଦୂଷିତ ପାଣି ବ୍ୟବହାର ଫଳରେ ଲୋକେ କିଡନୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ମହାନଦୀ ଓ ପୋଲାଭରମ ବିବାଦର ପ୍ରତିକାର କରାଯାଇ ନାହିଁ।

ସେପଟେ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ଅତ୍ୟନ୍ତ ଚିନ୍ତାଜନକ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ବଡ଼ ମେଡିକାଲ ପର୍ଯ୍ୟନ୍ତ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଛି। ଯେଉଁ କାରଣରୁ ଚିକିତ୍ସାରେ ଅବହେଳା ଓ ଅନିୟମିତତା ଅଭିଯୋଗ ଆସୁଛି। ନିକଟରେ ବିଧାନସଭାର ଷ୍ଟାଣ୍ଡିଂ କମିଟି ବିଭିନ୍ନ ଜିଲ୍ଲା ଗସ୍ତକରି ଗଣମାଧ୍ୟମ ସମ୍ମୁଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦ୍ବେଗଜନକ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଡାକ୍ତର ଅଭାବ ପାଇଁ କୌଣସି ଘରୋଇ ମେଡିକାଲରେ ସମସ୍ୟା ଘଟୁ ନଥିବା ବେଳେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏଭଳି ସ୍ଥିତି କାହିଁକି ଦେଖାଦେଉଛି? ବିଜେପି କ୍ଷତାକୁ ଆସିବା ପରେ ଓଡ଼ିଶାରେ ୫ ହଜାର ଡାକ୍ତର ନିଯୁକ୍ତ ହେବେ ବୋଲି ଘୋଷଣା ହୋଇଥିଲା। ପୂର୍ବ ସରକାର ସମୟରେ ଓଡ଼ିଶା ଏକ 'ଡାକ୍ତର-ବଳକା- ରାଜ୍ୟ' ବୋଲି କୁହାଯାଉଥିଲା। ଏଭଳି ସ୍ଥିତିରେ ଆୟୁଷ୍ମାନ ଓ ବିଏସକେୱାଇକୁ ନେଇ ବିବାଦ ଓ ବିତର୍କ ଲାଗି ରହିଛି।

ସେହିଭଳି ଶିକ୍ଷା ତଥା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଘଟି ନାହିଁ। ଖାଲି ପଡ଼ିଥିବା ପଦବୀ ପୂରଣ ଏବଂ ନୂଆ ପଦବୀ ସୃଷ୍ଟି ଧିମା ପଡିଛି। ପ୍ରାୟ ୯୦ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ଓ ଭିତ୍ତିଭୂମି ବିକାଶ ନକରି ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବା ଅଭିଯୋଗରେ ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ହେଉଛନ୍ତି। ଏଭଳି କି କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କୁଳପତି ପଦବୀ ପୂରଣ ହେଉନଥିବା ଘଟଣା ଚର୍ଚ୍ଚାରେ ରହିଛି।

ଏସବୁ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ନିୟନ୍ତ୍ରଣ ହରାଉଛି ତା'ର ଚିନ୍ତାଜନକ ଚିତ୍ର ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି। ମହିଳା ବିରୋଧୀ ହିଂସା, ଦୁଷ୍କର୍ମ, ଶିଶୁମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିବାରେ ଲାଗିଛି। ବନ୍ଧୁକ କାରବାରଠାରୁ ଆରମ୍ଭକରି ବାରୁଦ, ବୋମା, ଏସିଡ ଆକ୍ରମଣ, ଅପରାଧୀକ କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଲାଣି।

ସେହିଭଳି କ୍ଷମତାକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ପାଇବେ ବୋଲି ବିଜେପି ଘୋଷଣା କରିଥିଲା। ସରକାର ଗଠନର ବର୍ଷେ ପୂରିଗଲା କିନ୍ତୁ କ୍ଷତିଗ୍ରସ୍ତ ନିଜ ଜମାଟଙ୍କା ଫେରିପାଇବା ତେଣିକି ଥାଉ ଜମାକାରୀଙ୍କ ତଥ୍ୟପ୍ରମାଣ ସରକାର ପାଉନାହାନ୍ତି ବୋଲି ଦଳ କହିବା ସେମାନଙ୍କୁ ଚିନ୍ତାରେ ପକାଇଦେଇଛି। ଆଗାମୀ ଦିନରେ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ତେବେ ଯେଉଁ ଓଡିଆ ଅସ୍ମିତାକୁ ଅସ୍ତ୍ର କରି ବିଜେପି ସରକାରକୁ ଆସିଲା, ପରବର୍ତ୍ତୀ ସମୟରେ ପୂର୍ବସରକାରଙ୍କ ଖାସ୍ ଓ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିବା ଅଣଓଡିଆ ଅଫିସରଙ୍କୁ ସୁରକ୍ଷାର ସହିତ ଦିଲ୍ଲୀ ପଠାଇବା, ଖଣି ଓ ଚିଟଫଣ୍ଡ ସମେତ ବିଭିନ୍ନ ଦୁର୍ନୀତି ବିରୋଧରେ ଆଖିଦୁଶିଆ ଆକ୍ସନ ନହେବା ଆଦିକୁ ନେଇ ବିଜେପି-ବିଜେଡି ମଧ୍ୟରେ ଉତ୍ତମ ବୁଝାମାଣା ଥିବା ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।

(ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଏଣିକି ସରକାରୀ ସୁବିଧା ପାଇଁ ‘ଆଧାର୍ କାର୍ଡ଼’ ବାଧ୍ୟତାମୂଳକ...

Odisha BJP Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ