ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତିରେ ଲାଗିଲା ରହିତାଦେଶ । ନିଜ ଆଇନକୁ ନିଜେ ଅମାନ୍ୟ କରିଥିଲା ନଗର ଉନ୍ନୟନ ବିଭାଗ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନକୁ ଉଲ୍ଲଂଘନ କରି ରେରା ଆସିବା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ବିଭାଗୀୟ ସଚିବ । କିନ୍ତୁ ଏହା ବିରୋଧରେ ଜନସ୍ବାର୍ଥ ମାମଲା ଦାୟର ହେବାପରେ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।
ଏପଟେ ଦ୍ବନ୍ଦ୍ବପୂର୍ଣ୍ଣ ଆଇନ ପାଇଁ ବାସଗୃହ କ୍ରେତା ହଇରାଣ ହେବା ସହ ରିଅଲ ଇଷ୍ଟେଟ୍ କ୍ଷେତ୍ର ପ୍ରଭାବିତ ହେଉଛି ବୋଲି କହିଛି ରିଅଲ ଇଷ୍ଟେଟ୍ ସଂଘ । ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନର ଆଳ ଦେଖାଇ ରେରା, ୨୦୧୭ ଫେବ୍ରୁଆରୀ ୨୫ ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟର ପଞ୍ଜୀକରଣ ନ ରୋକିବାକୁ ଚଳିତ ମାସ ପହିଲାରେ ବିଜ୍ଞପ୍ତି ଜାରି କରିଥିଲା ।
Also Read
ଏଥିପାଇଁ ବିଭାଗୀୟ ସଚିବ, ସବୁ ରେଜିଷ୍ଟ୍ରେସନ ଅଫିସରଙ୍କୁ ନିର୍ଦ୍ଦେଶ ଜାରି ପାଇଁ ରାଜସ୍ବ ବିଭାଗକୁ ଅନୁରୋଧ ବି କରିଥିଲେ । ଏମିତିକି ରେରା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ପାଇଁ ମନା ନ କରିବାକୁ ସମସ୍ତ ରେଜିଷ୍ଟରିଂ ଅଫିସରଙ୍କୁ ଚିଠି ଲେଖି ଜଣାଇଥିଲା ବୋର୍ଡ ଅଫ୍ ରେଭିନ୍ୟୁ । ତେବେ ନଗର ଉନ୍ନୟନ ବିଭାଗର ଏଭଳି ନିଷ୍ପତ୍ତି ଖୋଦ୍ ସରକାରଙ୍କ ଆଇନର ବିରୁଦ୍ଧାଚରଣ କରୁଥିବାରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ ରିଅଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ । ଆଜି ଏହି ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।
ଅଧିକ ପଢନ୍ତୁ: ଭକ୍ତଙ୍କ ଆଡକୁ ଶ୍ରୀକାନ୍ତ ଜେନା ମାରିଲେ ତେରେଛା ବାଣ; କାହିଁକି ଭକ୍ତ ଦାସଙ୍କୁ ପିସିସି ମଙ୍ଗୁଆଳ କଲା AICC ?
ହାଇକୋର୍ଟ ପଚାରିଛନ୍ତି ଜଣେ ସଚିବଙ୍କର, ଆଇନକୁ ବିରୋଧ କରୁଥିବା ଭଳି ବିଜ୍ଞପ୍ତି ଆଣିବାର ଅଧିକାର ଅଛି କି? ଏହାସହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବ୍ରୁଆରୀ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ରହିତାଦେଶ ଲଗାଇଛନ୍ତି । ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ହାଇକୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ ନିଜର ପକ୍ଷ ରଖିବ ବିଭାଗ ।
ଅପରପକ୍ଷରେ ରିଅଲ୍ ଇଷ୍ଟେଟ୍ ସଂଘର କହିବା ଅନୁସାରେ ୨୦୧୭ ମସିହା ପୂର୍ବରୁ ରାଜ୍ୟରେ ନିର୍ମାଣ ହୋଇଥିବା ପ୍ରାୟ ୯୦ ଭାଗ ଆପାର୍ଟମେଣ୍ଟର ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନାହିଁ । ସେତେବେଳେ ଓସି ପାଇଁ ବାଧ୍ୟତାମୂଳକ ନିୟମ ମଧ୍ୟ ନଥିଲା। ତେବେ ରେରା ଆସିବା ପରେ ଓସି ବାଧ୍ୟତାମୂଳକ ହୋଇଛି । ଏମିତିକି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନରେ ଉଭୟ ପୁରୁଣା ଓ ନୂଆ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଓସି ବାଧ୍ୟତାମୂଳକ କରାଗଲା । ଆଇନରେ ଏଭଳି ଦ୍ବନ୍ଦ୍ବ ପାଇଁ ଏବେ ନିଜେ କିଣିଥିବା ଘରକୁ ବିକି ପାରୁନାହାନ୍ତି ବାସଗୃହ ମାଲିକ । ନିକଟରେ ନଗର ଉନ୍ନୟନ ବିଭାଗ ଏହି ଦ୍ବନ୍ଦ୍ବ ଦୂର ପାଇଁ ବିଜ୍ଞପ୍ତି ଜାରି କରିଥିବା ବେଳେ କାହିଁକି ହାଇକୋର୍ଟ ରୋକ୍ ଲଗାଇଛନ୍ତି ତାହା ଜାଣିନୁ କହିଛି ରିଅଲ୍ ଇଷ୍ଟେଟ୍ ସଂଘ । ଏବେ ଦେଖିବାକୁ ବାକି ରହିଲା, ରେରା ଆସିବା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ବିକ୍ରି ଲାଗି ଆଗକୁ କ'ଣ ବାଟ ବାହାରୁଛି ।