ରାଜଧାନୀରେ ମାତାଲ୍ ଯୁବତୀଙ୍କ ଉତ୍ପାତ, ସମ୍ଭାଳିବାକୁ ଯାଇ ପୋଲିସ୍‌ ନାକେଦମ

ପ୍ରତିଦିନ ବିଳମ୍ବିତ ରାତିରେ ମଦ ପିଇ ପଡ଼ୁଛନ୍ତି ରାସ୍ତାଘାଟରେ । ଆଉ ଏମାନଙ୍କ ପାଇଁ ନାକେଦମ୍ ହେଉଛି ପୋଲିସ ।

Commissionerate Police

ରାତିରେ ରଙ୍ଗୀନ ହେଉଛି ସହର । ପବ୍, କ୍ଲବରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । ତେବେ ଏହାରି ଭିତରେ କଣ୍ଟ୍ରୋଲ ବାହାରକୁ ଚାଲି ଯାଉଛନ୍ତି କି ଉଚ୍ଚଶିକ୍ଷିତା ? କେଉଁଠି ରାସ୍ତାରେ ଗଡୁଛନ୍ତି ତ ଆଉ କେଉଁଠି ମାଲ ପିଇ ବାଡ଼କୁ ଚଢ଼ି ଯାଉଛନ୍ତି । ଆଉ କେଉଁଠି ପୋଲିସକୁ ଦେଖି ଅଜବ ଅଜବ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏପରିକି ଚିକିତ୍ସା ପାଇଁ ମେଡିକାଲ ନେଲେ ସେଠାରେ ଡାକ୍ତରଙ୍କୁ ମଧ୍ୟ ଖରାପ ବ୍ୟବହାର କରୁଥିବା ଅଭିଯୋଗ ଆସୁଛି । ଆଧୁନିକତା ଓ ଷ୍ଟାଟସ ଦେଖାଇବାକୁ ଯାଇ ଏଭଳି ବାଟ ହୁଡୁଛନ୍ତି ଉଚ୍ଚ ଶିକ୍ଷିତା ।

ପ୍ରତିଦିନ ବିଳମ୍ବିତ ରାତିରେ ମଦ ପିଇ ପଡ଼ୁଛନ୍ତି ରାସ୍ତାଘାଟରେ । ଆଉ ଏମାନଙ୍କ ପାଇଁ ନାକେଦମ୍ ହେଉଛି ପୋଲିସ । ମଙ୍ଗଳବାର ରାତିରେ ଇନଫୋସିଟି ଥାନାଞ୍ଚଳରୁ ଏଭଳି ମାତାଲ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ ପୋଲିସର ହର୍ ଟିମ୍ । ସେପଟେ ସୋମବାର ରାତିରେ ବଡଗଡ ଥାନାଞ୍ଚଳରୁ ସମାନ ଅବସ୍ଥାରେ ଜଣେ ଯୁବତୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ ।

ସେପଟେ ମହିଳା ସ୍ବେଚ୍ଛାସେବୀଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ଅନେକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଏବେ ଏଭଳି ଟ୍ରେଣ୍ଡରେ ଫସୁଛନ୍ତି ଯୁବତୀମାନେ । ଆଧୁନିକତା ଓ ଷ୍ଟାଟସ୍ ଦେଖେଇବାକୁ ଯାଇ ଘଟୁଛି ଏଭଳି ଘଟଣା । ତା ସହ ସହରରେ ଚାଲିଥିବା ପବ୍ କଲଚର୍‌କୁ ବି ଦାୟୀ କରିଛନ୍ତି ସ୍ବେଚ୍ଛାସେବୀ ।

ଏକ ସର୍ଭେ ରିପୋର୍ଟ କହୁଛି ରାଜ୍ୟରେ ୩୦.୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବା ବେଳେ ୨୨.୭ ପ୍ରତିଶତ ସହରୀ ଲୋକ ମଦ୍ୟପାନ କରୁଛନ୍ତି । ଚିନ୍ତାଜନକ କଥା ହେଉଛି, ଏବେ ବଢୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ମହିଳା ମଦ୍ୟପଙ୍କ ସଂଖ୍ୟା ଅଧିକ । ରାଜ୍ୟର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଜାତୀୟ ହାର ହେଉଛି ମାତ୍ର ୧.୬ ପ୍ରତିଶତ। ଏନେଇ ସଚେତନତା ଜରୁରୀ ।