ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ମନ୍ତ୍ରୀ କହିଲେ ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।

Srimandir

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ । ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଦର୍ଶନ ପାଈଁ ଆସୁଥିବା ଭକ୍ତଙ୍କୁ ମହାଅ୍ରାସାଦ କୁଡ଼ୁଆ ଦିଆଯିବ। ଏଥିପାଈଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହାସହ ମୁକ୍ତ ହସ୍ତରେ ଦାନ ପାଈଁ ଭକ୍ତଙ୍କୁ ଅପିଲ କଲେ ମନ୍ତ୍ରୀ ପୃଥ୍ୱୀରାଜ। ସେ କହିଛନ୍ତି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ । ସରକାରଙ୍କ ଉପରେ ବର୍ଡ଼ନ ନକରି ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ଏହା ହେବ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ । ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି । କାର୍ତ୍ତିକ ମାସ ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ କାର୍ତ୍ତିକ ମାସରେ  ହବିଷ୍ୟାଳିଙ୍କର ଯେମିତି କୌଣସି ଅସୁବିଧା ହେବ ନାହିଁ, ସେନେଇ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ହବିଷ୍ୟାଳି କିଭଳି ଭଲରେ ଭଲରେ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ସରକାର ନେବେ । କୌଣସି ସମସ୍ୟା ହେଲେ ତାର ସମାଧାନ ହେବ । ଏନେଇ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି ।

ଏବେ ମାର୍ଗଶିର ମାସରୁ ଶୃଙ୍ଖଳିତ ଦର୍ଶନ ଓ ଏହାର ଡିଜାଇନ ଆରମ୍ଭ ହୋଇଛି । ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ତା କରାଯାଉଛି । ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ । ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରାଯାଇଛି ।

ସେହପରି ଜିପିଆର ସର୍ଭେ ରିପୋର୍ଟ ଦୁଇ ଚାରି ଦିନରେ ଆସିବ । ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତି ନେବେ । ଚଟାଣ ତଳେ କିମ୍ବା କାନ୍ଥ ଭିତରେ ଯଦି କିଛି ମୂଲ୍ୟବାନ ରତ୍ନ ଅଛି ବା ସୁନା, ମୋତି ମାଣିକ୍ୟ ଥିବାର ସ୍ପଷ୍ଟତା ଆସିଲା ଅବା ସୁଡ଼ଙ୍ଗ ଅଛି, ତେବେ ସରକାର ନିଷ୍ପତି ନେବେ କଣ କରାଯିବ ।

ଏଏସଆଈ ଟିମ ପ୍ରସ୍ତୁତ ଅଛନ୍ତି, ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ ଏବଂ ଯଥାଶୀଘ୍ର ଶେଷ କରିବେ । ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ ।